Odisha Link
Bridging the Missing Links in Odisha

ଶାରୀରିକ ସମ୍ପର୍କ ପାଇଁ ଅରାଜି ଥିଲେ ବର୍ଷା: ଅନୁଭବ

ଭୁବନେଶ୍ବର: ଅଭିନେତା-ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଏବେ ଦାଣ୍ଡରେ ଗଡ଼ି ହାଟରେ ପଡ଼ିଲାଣି। ପାରିବାରିକ ହିଂସା ନିରୋଧ ଆଇନ ଆଧାରରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷା ଅନୁଭବଙ୍କ ବିରୋଧରେ ମାମଲା କରିଛନ୍ତି। ଆସନ୍ତା ୭ ତାରିଖରେ ଏହି ମାମଲାର ଶୁଣାଣି ହେବ। ଅନ୍ୟପଟେ ଅନୁଭବ ବର୍ଷାଙ୍କ ଠାରୁ ଛାଡ଼ପତ୍ର ଦାବି କରି ପିଟିସନ୍‌ ଦାଖଲ କରିଛନ୍ତି। ପତ୍ନୀ ବର୍ଷା ବିବାହ ଦିନଠାରୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ଥିଲେ ବୋଲି ଅନୁଭବ ନିଜ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି।

ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି ଅନୁଭବ। ୪୭ ପୃଷ୍ଠାର ଏହି ଛାଡ଼ପତ୍ର ପିଟିସନ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ, ବିବାହ ଦିନ ଠାରୁ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ଥିଲେ ବର୍ଷା। ଏଥିପାଇଁ ବର୍ଷା ୩-୪ ମାସ ସମୟ ମାଗିଥିଲେ ଓ ଅନୁଭବ ଏଥିରେ ରାଜି ହୋଇଥିଲେ। ଶାରୀରିକ ସମ୍ପର୍କ ରହୁ ନ ଥିବାରୁ ସେ ସୁଖୀ ନ ଥିଲେ ବୋଲି ଅନୁଭବ ଲେଖିଛନ୍ତି। ରାଜ୍ୟସଭା ସାଂସଦ ହେବା ପରେ ସେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲେ। ଦିଲ୍ଲୀରେ ମଧ୍ୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଅନୁଭବ। ଦିଲ୍ଲୀ ରହଣି ପରେ ଉଭୟେ କଟକ ଫେରିଥିଲେ। କଟକ ଆସି ବର୍ଷା ଖୁସି ଥିବା ଉଲ୍ଲେଖ କରିଛନ୍ତି ଅନୁଭବ। କଟକ ଫେରିଲେ ଆମେ ଶାରୀରିକ ସମ୍ପର୍କ ରଖିବା ବୋଲି ବର୍ଷା କହିଥିଲେ। କିନ୍ତୁ ବର୍ଷା ସମ୍ପର୍କନ ରଖି ପୁଣି ୭-୮ ମାସ ସମୟ ମାଗିଥିଲେ ବୋଲି ଅନୁଭବ କହିଥିଲେ। ବର୍ଷା କେବେ ବି ତାଙ୍କୁ ବୈବାହିକ ଆନନ୍ଦ ଦେଇନାହାନ୍ତି ବୋଲି ଅନୁଭବ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ବର୍ଷା ସବୁବେଳେ ତାଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ ବୋଲି ସେ ଅଭିଯୋଗ ବାଢ଼ିଛନ୍ତି। ଶାଶୁଘରେ ନ ରହି ସେ ଅଧିକାଂଶ ସମୟ ବାପଘରେ ରହୁଥିଲେ। ଏପରିକି ବର୍ଷା ଶାଶୁଘରର ଖାଦ୍ୟ ପସନ୍ଦ କରୁ ନ ଥିଲେ ବୋଲି ଅନୁଭବ ଲେଖିଛନ୍ତି। ସେ ଶାଶୁଘର ଲୋକଙ୍କ ସହ ମିଶୁ ନ ଥିଲେ ଓ ସବୁବେଳେ ବାପଘର ଯିବାକୁ ବାହାନା କରୁଥିଲେ। ଅନୁଭବଙ୍କର ଅନ୍ୟ ଅଭିନେତ୍ରୀଙ୍କ ସହ ସମ୍ପର୍କ ଅି ବୋଲି ବର୍ଷା ମିଥ୍ୟା ଅଭିଯୋଗ କରୁଥିଲେ। ମିଥ୍ୟା କେସ୍‌ରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ବର୍ଷା ଧମକ ଦେଉଥିବା ଉଲ୍ଲେଖ କରିଛନ୍ତି ଅନୁଭବ। ବାପଘର ଲୋକଙ୍କ ଆଗରେ ବର୍ଷା ତାଙ୍କୁ ଅପମାନିତ କରୁଥିଲେ। ବର୍ଷା ତାଙ୍କୁ ସବୁବେଳେ ଅତ୍ୟଧିକ ମାନସିକ ଚାପରେ ରଖୁଥିଲେ। ବାଧ୍ୟହୋଇ ବର୍ଷାଙ୍କୁ ତାଙ୍କ ଇଚ୍ଛାରେ ବଞ୍ଚିବାକୁ ଛାଡ଼ି ଦେଇଥିଲି ବୋଲି କହିଛନ୍ତି ଅନୁଭବ। ଜଣେ ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ବର୍ଷା ବିଫଳ ହୋଇଛନ୍ତି ବୋଲି ଦର୍ଶାଇଛନ୍ତି ଅନୁଭବ। ସେ ବର୍ଷାଙ୍କ ସହ ଆଉ ରହିବାକୁ ଚାହୁଁ ନ ଥିବା ପିଟିସନ୍‌ରେ ଲେଖିଛନ୍ତି। ୨୦୧୯ ମେ’ ୧ ତାରିଖ ଠାରୁ ଦୁହେଁ ଅଲଗା ରହି ଆସୁଥିବା ସେ ଜଣାଇଛନ୍ତି।

ଅନ୍ୟପଟେ ଆଠପୃଷ୍ଠା ସମ୍ବଳିତ ନିଜର ଅଭିଯୋଗ ପତ୍ରରେ ବର୍ଷା ସ୍ବାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ୨୦୧୪ ଫେବ୍ରୁଆରୀ ୮ ତାରିଖରେ ସେମାନଙ୍କର ବିବାହ ହୋଇଥିଲା। ବର୍ଷା ଉଲ୍ଲେଖ କରିଛନ୍ତି ଯେ ଜିଦ୍‌ କରି ଅନୁଭବ ତାଙ୍କୁ ବିବାହ କରିଥିଲେ। ବିବାହ ପାଇଁ ବର୍ଷା ରାଜି ନ ହେଲେ ଅନୁଭବ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ବର୍ଷାଙ୍କୁ ପାଇବା ପାଇଁ ଛୁରୀରେ ହାତ, ଛାତି କାଟି ରକ୍ତ ବୁହାଉଥିଲେ ଅନୁଭବ। ଅନୁଭବଙ୍କ ପାଗଳାମୀ ଦେଖି ବର୍ଷାଙ୍କ ମା’ ବିବାହ ପାଇଁ ଅନୁମତି ଦେଇଥିଲେ। ବାହାଘରରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ବର୍ଷା ଲେଖିଛନ୍ତି। ବିବାହ ପରେ ଚଳଚ୍ଚିତ୍ର ଅଭିନୟ ବାବଦରେ ବର୍ଷାଙ୍କର ପ୍ରାପ୍ୟ ଅନୁଭବ ନେଇ ଯାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପରେ ଅନୁଭବଙ୍କର ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା। ଅନୁଭବ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ବୋଲି ବର୍ଷା ଅଭିଯୋଗ ବାଢ଼ିଛନ୍ତି। ଚଳଚ୍ଚିତ୍ର ଜଗତର ବହୁ ନାରୀଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି ଓ ଏଥିରେ ତାଙ୍କ ପରିବାରର ସମର୍ଥନ ଅଛି ବୋଲି ବର୍ଷା ଉଲ୍ଲେଖ କରିଛନ୍ତି। ଅନୁଭବ ଜଣେ ଅଭ୍ୟାସଗତ ମଦ୍ୟପ ବୋଲି ପିଟିସନ୍‌ରେ ଉଲ୍ଲେଖ ରହିଛି। ମଦ ପିଇ ସେ ହିତାହିତ ଜ୍ଞାନ ଭୁଲିଯାଆନ୍ତି। ଏପରିକି ସେ ବର୍ଷାଙ୍କ ଉପସ୍ଥିତିରେ ସାଙ୍ଗମାନଙ୍କ ସହ ନିଜ ଶୋଇବା ଘରେ ମଦ ପିଅନ୍ତି। ଏହାକୁ ବିରୋଧ କଲେ ଅନୁଭବ ତାଙ୍କୁ ହାତରେ ଓ ବାଡ଼ିରେ ମାଡ଼ ମାରନ୍ତି ବୋଲି ସେ ପିଟିସନ୍‌ରେ ଜଣାଇଛନ୍ତି। ପରିବାରର ସମ୍ମାନକୁ ଦୃଷ୍ଟିଦେଇ ବର୍ଷା ଏଯାଏଁ ଚୁପ୍‌ ଥିବା କହିଛନ୍ତି। ପିଲାଛୁଆ ପାଇଁ ବର୍ଷା ସବୁବେଳେ ଚାହୁଁଥିଲେ ବି ଅନୁଭବ ଏାକୁ ଏଡ଼ାଇ ଯାଆନ୍ତି। ରାତି ତମାମ୍‌ ମଦ ପିଉଥିବାରୁ ବର୍ଷାଙ୍କକଥାକୁ ଗୁରୁତ୍ବ ଦିଅନ୍ତିନାହିଁ। ବର୍ଷାଙ୍କ ମା’ ଓ ଦୁଇ ଭଉଣୀ ଅନେକ ବାର ଏହାର ସମାଧାନ ଉଦ୍ୟମ କରି ବିଫଳ ହୋଇଛନ୍ତି। ଲକ୍‌ଡାଉନ୍‌ ଠିକ ପୂର୍ବରୁ ବର୍ଷାଙ୍କୁ ନ ନେଇ ଅନୁଭବ ଦିଲ୍ଲୀ ପଳାଇଥିଲେ। ଶାଶୁଘର ଲୋକ ସମସ୍ତେ ଦିଲ୍ଲୀରେ ଥିବା ବେଳେ ଲକ୍‌ଡାଉନ୍‌ ବେଳେ ବର୍ଷା କଟକ ଘରେ ଏକା ରହିଥିଲେ। ଏକୁଟିଆ ଥିଲେ ବି ଘରଚଳିବା ପାଇଁ ଅନୁଭବ କିଛି ବି ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ମେ’ ୨୫ରେ ଦିଲ୍ଲୀରୁ ଫେରି ଅନୁଭବ ତାଙ୍କୁ ପ୍ରଚୁର ଗାଳି କରିଥିଲେ। ଜୁନ୍‌ ୭ରେ ଅତ୍ୟାଚାରର ସବୁ ସୀମା ଟପିଯାଇଥିଲା ବୋଲି ବର୍ଷା ପିଟିସନ୍‌ରେ ଦର୍ଶାଇଛନ୍ତି। ଅନୁଭବ ଓ ତାଙ୍କ ବାପା ବର୍ଷାଙ୍କୁ ଖରାପ ଭାଷାରେ ଦୁଇଘଣ୍ଟା ଯାଏଁ ଗାଲିଗୁଲଜ କରିଥିଲେ। ଜୁନ୍‌ ୧୧ରେ ଛାଡ଼ପତ୍ର ପାଇଁ ବର୍ଷାଙ୍କୁ ସେମାନେ ବାଧ୍ୟ କରିଥିଲେ ବୋଲି ସେ ଲେଖିଛନ୍ତି। ଛାଡ଼ପତ୍ର ପାଇଁ ରରାଜି ନ ହେଲେ ପରିଣାମ ଭୋଗିବ ବୋଲି ଧକଦେଇଥିଲେ।

ଅନୁଭବଙ୍କ ଠାରୁ ୧୫ କୋଟି ଟଙ୍କାର କ୍ଷତିପୂରଣ ମାଗିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ପ୍ରତିପକ୍ଷଙ୍କୁ କ୍ଷତିପୂରଣ ଓ ଭରଣପୋଷଣ ଭରିବା ଲାଗି ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ବର୍ଷା। ରହିବାକୁ ଘରେ ଭାଗ ଦେବା କିମ୍ବା ଘରଭଡ଼ା ବହନ କରିବାକୁ ବର୍ଷା ଦାବି କରିଛନ୍ତି। ଘରଭଡ଼ା ପାଇଁ ମାସିକ ୨୦ ହଜାର ଟଙ୍କା ଓ ଚଳିବାକୁ ୫୦ ହଜାର ଟଙ୍କା ମାଗିଛନ୍ତି ସେ।

Comments are closed.