Odisha Link
Bridging the Missing Links in Odisha

ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ହରିହର ପଣ୍ଡାଙ୍କ ‘ରଜାଘର କଥା’ ଉନ୍ମୋଚିତ

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଗଡ଼ଜାତ ଓ ଜମିଦାରୀ ଗଡ଼ରେ ଥିବା ରାଜପ୍ରାସାଦର ଇତିହାସ ଓ ବର୍ତ୍ତମାନର କାହାଣୀ ସମ୍ବଳିତ ‘ରଜାଘର କଥା’ ପୁସ୍ତକ ଆଜି ଅପରାହ୍ଣରେ ଉନ୍ମୋଚିତ ହୋଇଯାଇଛି। ହରିହର ପଣ୍ଡାଙ୍କ ଲିଖିତ ଏ ପୁସ୍ତକକୁ ପ୍ରକାଶ କରିଛନ୍ତି ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ। ପ୍ରସିଦ୍ଧ କବି ତଥା ଚିନ୍ତକ ଶ୍ରୀ ହରପ୍ରସାଦ ଦାସ ଓ ଜଣାଶୁଣା କଥାକାର ତଥା ଶିଶୁ ସାହିତ୍ୟିକ ଶ୍ରୀ ଦାଶ ବେନହୁର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ।

ଆମର ଅଧିକାଂଶ ଇତିହାସ ୟୁରୋପୀୟ ଢାଞ୍ଚାରେ ଓ ୟୁରୋପୀୟମାନେ ଚାହୁଁଥିବା ପ୍ରକାରେ ଲେଖାଯାଇଛି ବୋଲି ହରପ୍ରସାଦ ଦାସ କହିଥିଲେ। ଆମ ଇତିହାସର ପୁନର୍ଲିଖନ ଆବଶ୍ୟକ ଅଛି ବୋଲି ସେ ମତ ଦେଇଥିବା ବେଳେ ସାଧାରଣ ଜନତାର ଇତିହାସ ବା ଲୋକ ଇତିହାସ ଲେଖାଯିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ। ଓଡ଼ିଶା ପରୀପ୍ରେକ୍ଷୀରେ ଆମର ଇତିହାସକାରମାନେ ପ୍ରମାଣ ଓ ତଥ୍ୟ ପଛରେ ପଡ଼ି ଲୋକମୁଖର କଥାକୁ ଅଣଦେଖା କରିଛନ୍ତି ଏବଂ ଆଞ୍ଚଳିକ ଇତିହାସକୁ ଆଦୌ ଗୁରୁତ୍ବ ଦେଇନାହାନ୍ତି। ଯେକୌଣସି ଇତିହାସ ରଚନା ବେଳେ ଆମେ ଓଡ଼ିଆନାୟକମାନଙ୍କୁ ନ୍ୟୁନ କରି ଇତିହାସରେ ଉପସ୍ଥାପନା କରିଛେ ବୋଲି ଶ୍ରୀ ଦାସ କହିଥିଲେ। ଅନ୍ୟ ରାଜ୍ୟମାନଙ୍କରେ ଗୁରୁତ୍ବହୀନ ଓ ଗୌଣ ଚରିତ୍ରମାନଙ୍କୁ ଇତିହାସର ଆବରଣରେ ଅନେକ ମିଛ ଉପାଦାନ ଯୋଡ଼ି ମହିମାମଣ୍ଡିତ କରାଯାଇଥିବା ବେଳେ ଆମ ରାଜ୍ୟରେ ଅସଲ ନାୟକମାନଙ୍କୁ ବି ନ୍ୟୁନ କରି ଦେଖାଯାଇଛି ବୋଲି ହରପ୍ରସାଦ ଦାସ କ୍ଷୋଭପ୍ରକାଶ କରିଥିଲେ। ହରିହର ପଣ୍ଡାଙ୍କର ଏ ପ୍ରୟାସକୁ ଶ୍ରୀ ଦାସ ପ୍ରଶଂସା କରିବା ସହ ବହିଟି ଗୋଟିଏ ରାହାରେ ପଢ଼ିହେଇଯାଏ ବୋଲି କହିଥିଲେ।

ଗଡ଼ଜାତ ଇତିହାସ ଉପରେ ବିଶେଷ ଗବେଷଣା କରୁଥିବା ଶ୍ରୀ ଦାଶ ବେନହୁର ‘ରଜାଘର କଥା’ ଏକ ଦ୍ବାର ଖୋଲିଦେଲା ବୋଲି ମତ ଦେଇଥିଲେ। ସ୍ବାଧୀନତା ପୂର୍ବ ସମୟର ରଜାଘର ଦେଖିଥିବା ଓ ସେ କାହାଣୀ ଜାଣିଥିବା ବ୍ୟକ୍ତିମାନେ କ୍ରମଶଃ ଅପସରି ଯାଉଥିବାରୁ ଏଭଳି ପ୍ରୟାସ ଜରୁରୀ ବୋଲି ସେ କହିଥିଲେ। ଓଡ଼ିଶାରେ ଗଡ଼ଜାତଗୁଡ଼ିକ ସାଂସ୍କୃତିକ ପ୍ରାଣକେନ୍ଦ୍ର ଥିଲା କଳା-ସାହିତ୍ୟ-ସଂସ୍କୃତିର ପୃଷ୍ଟପୋଷକତା କରୁଥିଲା। ଗଡ଼ଜାତକୁ ନେଇ ଇଂରେଜ ଶାସନ ସମୟରେ ଯଦିଓ ବହୁ ପ୍ରଜାପୀଡ଼ନର କାହାଣୀ ଶୁଣିବାକୁ ମିଳେ, ଇହରେଜ ଆସିବା ପୂର୍ବରୁ ରାଜା-ପ୍ରଜା ସମ୍ପର୍କ ବେଶ୍‌ ମଧୁର ଥିଲା ବୋଲି ଶ୍ରୀ ବେନହୁର କହିଥିଲେ। କେବଳ ରଜା ନୁହନ୍ତି, ଗଡ଼ଜାତ ରାଜ୍ୟମାନଙ୍କରେ ଅନ୍ୟାନ୍ୟ ବହୁ ଚରିତ୍ରଙ୍କ ବାବଦରେ ଲେଖିବାର ଆବଶ୍ୟକ ରହିଛି ବୋଲି ସେ ପରାମର୍ଶ ଦେଇଥିଲେ।

ବହିର ମୁଦ୍ରଣମାନ ବେଶ୍‌ ଉଚ୍ଚକୋଟିର ବୋଲି ଉଭୟ ଅତିଥି ପ୍ରଶଂସା କରିଥିଲେ। ପେନ୍‌ ଇନ୍‌ ବୁକ୍ସର ମୁଖ୍ୟ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଦେବା ସହ ସଭା ପରିଚାଳନା କରିଥିବା ବେଳେ ‘ରଜାଘର କଥା’ର ଲେଖକ ହରିହର ପଣ୍ଡା ଲେଖକୀୟ ବକ୍ତବ୍ୟ ବାଢ଼ିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଷ୍ଟୁଡିଓରେ ଆୟୋଜିତ ଏହି ସଭାରେ ଅତିଥିଙ୍କ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ତେବେ ସଭାର ସିଧାପ୍ରସାରଣ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।

ରାଜ୍ୟରେ ପ୍ରକାଶନ କ୍ଷେତ୍ରରେ ଅନେକ ନୂଆ ପଦକ୍ଷେପ ଗ୍ରହଣ କରିଥିବା ପେନ୍‌ ଇନ୍‌ ବୁକ୍ସ ଓଡ଼ିଶାରେ ବିଶ୍ବସ୍ତରୀୟ ମାନର ପୁସ୍ତକ ପ୍ରକାଶନକୁ ନିରନ୍ତର ଗୁରୁତ୍ବ ଦେଇଆସୁଛି। ୨୦୦୬ ମସିହାରୁ ପୁସ୍ତକ ପ୍ରକାଶନ କରି ଆସୁଥିବା ପେନ୍‌ ଇନ୍‌ ବୁକ୍ସ ସଂପ୍ରତି ଏହାର ପୁସ୍ତକ ସବୁ ଦିଲ୍ଲୀର ଥମସନ୍‌ ପ୍ରେସ୍‌ରେ ମୁଦ୍ରଣ କରୁଛନ୍ତି। ଏହାର ସମସ୍ତ ପୁସ୍ତକ ଆମାଜନ୍‌ ଅନ୍‌ଲାଇନ୍‌ ଷ୍ଟୋର୍‌ରେ ଉପଲବ୍ଧ। ହରିହର ପଣ୍ଡାଙ୍କ ରଜାଘର କଥା କିଣିବାକୁ ଚାହୁଁଥିବା ପାଠକ ତଳ ଲିଙ୍କ୍‌ରୁ ବହିଟି ପାଇପାରିବେ।

Comments are closed.