Odisha Link
Bridging the Missing Links in Odisha

ପିନାକା ଏମ୍‌କେ-ଆଇର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗତକାଲି ପିନାକା ଏମ୍‌କେ-ଆଇର ସଫଳ ପରୀକ୍ଷଣ କରାଯାଇଛି। ପିନାକାର ଉନ୍ନତ ସଂସ୍କରଣର ସଫଳ ପରୀକ୍ଷଣ ହୋଇଥିବା ବେଳେ ଏହାର କ୍ଷମତା ବୃଦ୍ଧି ହୋଇଛି। ଏହି ପରୀକ୍ଷଣ ପ୍ରୁଫ ଆଣ୍ଡ ଏକ୍ସପେରିମେଣ୍ଟ ଏଷ୍ଟାବ୍ଲିସମେଣ୍ଟରୁ କରାଯାଇଛି। ଲଗାତାର ୬ଟି ରକେଟ୍ ଉତକ୍ଷେପଣ କରାଯାଇଥିଲା। ଲଗାତାର ୬ ରାଉଣ୍ଡରେ ପ୍ରାୟ ୪୫ କିଲୋମିଟର ଦୂରତାକୁ ହୋଇଛି ପରୀକ୍ଷା। ୪୪ ସେକଣ୍ଡ ମଧ୍ୟରେ କରାଯାଇଛି ୬ ରାଉଣ୍ଡ ପରୀକ୍ଷା। ପିନାକାର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନା ଅନୁସାରେ ପିନାକା ଏମ୍‌କେ-ଆଇ ପିନାକାର ଉନ୍ନତ ସଂସ୍କରଣ। ପ୍ରଥମ ପିନାକାରେ ନାଭିଗେସନ୍ ସିଷ୍ଟମ ନଥିଲା। ଅପଗ୍ରେଡ୍ ପିନାକାରେ ନାଭିଗେସନ୍ ସିଷ୍ଟମ ରହିଛି। ଏଥିପାଇଁ ହାଇଦ୍ରାବାଦ ସ୍ଥିତ ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ନୌବାହନ, ନାଭିଗେସନ୍ ଓ ନିୟନ୍ତ୍ରଣ କିଟ୍ ପ୍ରସ୍ତୁତ କରିଥିଲା।

ପୂର୍ବ ପିନାକାରେ ଗାଇଡ୍ ଟେକ୍ନୋଲଜି ନଥିଲା। ଏବେ ଏହାକୁ ଅପଗ୍ରେଡ୍ କରାଯାଇ ଗାଇଡିଂ ପ୍ରଣାଳୀ ଦିଆଯାଇଛି। ପିନାକା ଏମ୍‌କେ-ଆଇର ପରୀକ୍ଷା ପାଇଁ ଗୋଟିଏ ଲଞ୍ଚରରେ ୧୨ଟି ରକେଟ୍‌ ଖଞ୍ଜା ଯାଇଥାଏ। କାର୍ଗିଲ ଯୁଦ୍ଧରେ ଏହି ଲଞ୍ଚର ବ୍ୟବହାର କରିଥିଲା ଭାରତୀୟ ସ୍ଥଳସେନା। ପୂର୍ବରୁ ଏମ୍‌କେ-ଆଇ ରକେଟ୍‌ ଲଞ୍ଚରର ଲକ୍ଷ୍ୟଭେଦ କ୍ଷମତା ୪୦ କିଲୋମିଟର ଥିଲା। ଏହାର ବ୍ୟାରେଲ ଲମ୍ଭ ୭.୨ ମିଟର ଓ ମୋଟେଇ ୮.୪ ଇଞ୍ଚ ଅଟେ।

Comments are closed.