Odisha Link
Bridging the Missing Links in Odisha

ଚାଷୀଙ୍କୁ ଶୋଷଣ କରି ମିଲରମାନଙ୍କ ପାଇଁ ଓକିଲାତି କରୁଛି ଶାସକ ବିଜେଡି: ଲେଖାଶ୍ରୀ

ଭୁବନେଶ୍ୱର : ବିଜେଡିର ୩ ଜଣ ବିଧାୟକ ଚାଷୀଙ୍କ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରେସମିଟରେ ୩ ଜଣ ବିଧାୟକଙ୍କ ତଥ୍ୟରେ କୌଣସି ତାଳ ମେଳ ନଥିଲା। ବିଜେଡି ବିଧାୟକମାନେ ସଠିକ୍ ତଥ୍ୟ ନଜାଣି କେବଳ ରାଜ୍ୟବାସୀଙ୍କୁ ମିଥ୍ୟା କହି ଭ୍ରମିତ କରିଛନ୍ତି ।

ବିଜେଡି ନେତାମାନେ ଧାନ ବିଷୟରେ ନକହି ଚାଉଳ ବିଷୟରେ କହୁଛନ୍ତି। ଚାଷୀ ଧାନ ବିକ୍ରି କରେ ଆଉ ମିଲର ଚାଉଳ ବିକ୍ରି କରନ୍ତି। ଶାସକ ବିଜେଡି ଚାଷୀଙ୍କୁ ଶୋଷଣ କରି ମିଲରମାନଙ୍କ ପାଇଁ ଓକିଲାତି କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ରାଜ୍ୟ ବିଜେପି ପକ୍ଷରୁ ଓଡିଶାରେ ୬ଟି ବିଶାଳ ଚାଷୀ ସମାବେଶ ଏବଂ ୧୮୦୦ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟାରେ ଭାଗିଦାରୀ ହୋଇଛି। କେନ୍ଦ୍ରସରକାର କୃଷକର ଉନ୍ନତି ପାଇଁ ବିଶେଷକରି ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ରାଜ୍ୟସରକାରଙ୍କର ଆନ୍ତରିକତାର ଅଭାବ ଏବଂ ଅସହଯୋଗ କାରଣରୁ ଓଡିଆ ଚାଷୀ କେନ୍ଦ୍ରୀୟ ଯୋଜନାରୁ ବଂଚିତ ହେଉଛି।

କେନ୍ଦ୍ର ସରକାର ଧାନର ଏମଏସପି ୧୮୬୮ଟଙ୍କା ଦେଉଥିବା ସ୍ଥଳେ ମଣ୍ଡିରେ ୩କେଜିରୁ ୮କେଜି ପର୍ଯ୍ୟନ୍ତ କଟ୍‌ନି ଛଟ୍‌ନି ହେଉଥିବାରୁ ଚାଷୀ ପ୍ରକୃତମୂଲ୍ୟ ପାଇପାରୁନାହିଁ। ମଣ୍ଡି ଭିତିଭୂମୀ ପାଇଁ କେନ୍ଦ୍ର ସରକାର ଅର୍ଥର ବ୍ୟବସ୍ଥା କରିଥିବା ସ୍ଥଳେ ଅଦ୍ୟାବଧି ଓଡିଶାରେ ମଣ୍ଡି ଭିତିଭୂମି ସୁଧୁରି ନାହିଁ। ଧାନ ଅଖା ପାଇଁ କେନ୍ଦ୍ର ଟଙ୍କା ଦେଉଥିଲେ ମଧ୍ୟ ଚାଷୀଙ୍କୁ ଅଖାର ଟଙ୍କା ଦିଆଯାଉନାହିଁ।

ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଉଥିଲେ ମଧ୍ୟ ଓଡିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ। ଡିସେମ୍ବର ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ରାଜ୍ୟସରକାର ଘୋଷଣା କରିଥିଲେ। କିନ୍ତୁ ମଣ୍ଡି କେବେ ଖୋଲି ବନ୍ଦ ହୋଇଗଲା ଚାଷୀ ତାହା ଜାଣିପାରିଲେ ନାହିଁ ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଆଗାମୀ ଦିନରେ ଆରଡିସି ଅଫିସ ଘେରାଓ ଥିବାରୁ ବିଜେଡି ମନରେ ଛନକା ପଶିଛି। ବିଜେଡି ଆଜି କାଠଗଡାରେ ଛିଡା ହୋଇଛି। ଟୋକନ ଅବ୍ୟବସ୍ଥା ଏବଂ କଟନି ଛଟନି ନାଁରେ ଧାନ କଟାଯାଉଛି। କଟନି ଛଟନି ନାଁ ରେ କଟାଯାଉଥିବା ଧାନର ଅର୍ଥ ବିଜେଡି ଫଣ୍ଡକୁ ଯାଉଛି। ଚାଷୀଙ୍କ ପେଟକୁ ମାରିକି ବିଜେଡି ଦଳୀୟ ସଙ୍ଗଠନ ଚଲାଉଛି।

ଡିଏଲପିସିରେ ସରକାର ନିର୍ଦ୍ଧାରଣ କରିଛନ୍ତି ଯେ, ଅଣଜଳସେଚିତ ଜମିରେ ୧୩ କ୍ୱିଂଟାଲ ପ୍ରତି ଏକର ଏବଂ ଜଳସେଚିତ ଜମିରେ ୧୯ କ୍ୱିଂଟାଲ ପ୍ରତି ଏକର ଧାନ ବିକ୍ରି ହେବ। ଚଳିତ ବର୍ଷ ଧାନ ଫସଲ ଭଲ ହୋଇଥିବାରୁ ଅଣଜଳସେଚିତ ଜମିରେ ୨୦ କ୍ୱିଂଟାଲ ଏବଂ ଜଳସେଚିତ ଜମିରେ ୩୦ କ୍ୱିଂଟାଲ ଧାନ ହୋଇଛି। ରାଜ୍ୟସରକାର କାହିଁକି ଏହି ଧାନ କିଣୁନାହାଁନ୍ତି ? ରାଜ୍ୟ ସରକାର ନିଜର ଖାଦ୍ୟସୁରକ୍ଷା ଯୋଜନାରେ କେତେ କ୍ୱିଣ୍ଟାଲ ଧାନ କିଣିଛନ୍ତି ? ଚାଷୀର ବଳକା ଧାନକୁ ଅନ୍ୟାନ୍ୟ ରାଜ୍ୟ ସରକାର କିଣୁଥିବାବେଳେ ଓଡିଶା ସରକାର ବଳକା ଧାନ କିଣୁନାହାଁନ୍ତି କାହିଁକି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ବିଜେଡି ବିଧାୟକମାନେ ତୃତୀୟ ମହଲାର ଚିରକୁଟ ପଢି ବିଜେଡି ଓଡିଶାବାସୀଙ୍କୁ ଭ୍ରମିତ କରିପାରିବ ନାହିଁ । ବିଜେପି ରାଜ୍ୟର ସମସ୍ତ ଚାଷୀ ପରିବାରକୁ ଯାଇ ଭେଟିବା ସହ ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ସଂପର୍କରେ ଅବଗତ କରାଇବ।

ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ରାଜ୍ୟସରକାର ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲି ଧାନ କିଣନ୍ତୁ ନଚେତ୍ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯିବ ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି। ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ।

Comments are closed.