Odisha Link
Bridging the Missing Links in Odisha

ଦିଅର-ଭାଉଜଙ୍କ ଆତ୍ମହତ୍ୟା ଉଦ୍ୟମ

ବୌଦ୍ଧ: ପ୍ରେମରେ ଅସଫଳ ହେବା ପରେ ଏକାଠି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦିଅର ଓ ଭାଉଜ। ପୁରୁଣା କଟକ ଥାନା ଅନ୍ତର୍ଗତ ଏକ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦରମରା ଅବସ୍ଥାରେ ଉଭୟଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଗ୍ରାମବାସୀ ଚିକିତ୍ସା ପାଇଁ ପଠାଇଛନ୍ତି।

ଦିଅର ଓ ଭାଉଜଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମସମ୍ପର୍କ ରହି ଆସିଥିଲା। ତେବେ ମାର୍ଚ୍ଚ ୨୦ ତାରିଖରେ ଦିଅରଙ୍କ ବିବାହ ହୋଇଥିଲା। ନବଯୁବତୀଙ୍କୁ ପତ୍ନୀରୂପେ ପାଇବା ସତ୍ତ୍ବେ ଭାଉଜଙ୍କୁ ଭୁଲିପାରୁ ନଥିଲେ ଯୁବକ। ବିବାହ ପରେ ଭାଉଜ-ଦିଅରଙ୍କ ମିଳାମିଶା ଆଉ ପୂର୍ବପରି ହୋଇପାରିଲାନାହିଁ। ଦିଅରଙ୍କ ପତ୍ନୀ ଘରେ ରହୁଥିବାରୁ ସେ ଭାଉଜଙ୍କ ସହ ମିଶିବାର ସୁଯୋଗ ପାଇଲେନାହିଁ।

ପ୍ରାୟ ଗୋଟିଏ ମାସର ବିରହ ପରେ ପ୍ରେମୀଯୁଗଳ ଜଙ୍ଗଲରେ ଏକାଠି ହୋଇଥିଲେ। ସେମାନଙ୍କର ପ୍ରେମର କଷ୍ଟ ଏତେ ତୀବ୍ର ଥିଲା ଯେ ଏ ଜନ୍ମରେ ମିଳନ ଅସମ୍ଭବ ଜାଣି ଉଭୟେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ଯୁବକଙ୍କ ବିବାହର ଠିକ ମାସକ ପରେ ସେହି ଜଙ୍ଗଲରେ ହିଁ ଉଭୟେ କୀଟନାଶକ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ।

ଏପ୍ରିଲ ୨୦ ତାରିଖ ସକାଳୁ ଉଭୟ ଦିଅର ଓ ଭାଉଜ ନିଖୋଜ ଥିବାବେଳେ ଗାଁ ଲୋକ ବହୁ ଖୋଜାଖୋଜି କରିବା ପରେ ଉଭୟଙ୍କୁ ମୁମୂର୍ଷୁ ଅବସ୍ଥାରେ ନିକଟସ୍ଥ ପାହାଡ଼ ଉପରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ତୁରନ୍ତ ବୌଦ୍ଧ ଜିଲ୍ଲା ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଭାଉଜଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦିଅରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି।

Leave A Reply

Your email address will not be published.