Odisha Link
Bridging the Missing Links in Odisha

କୋଭିଡ୍‌ କଟକଣା ବେଳେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶ କୋଭିଡ୍‌ ସହ ଯୁଝୁଥିବା ବେଳେ ଯୋରସୋର୍‌ରେ ଆଗେଇ ଚାଲିଛି ପ୍ରଧାନମନ୍ତ୍ରୀଙ୍କ ମାନସ ପ୍ରକଳ୍ପ ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣ କାର୍ଯ୍ୟ। ଗତ କିଛି ସପ୍ତାହ ହେଲା ରାଜଧାନୀର ରାଜପଥର ଦୁଇ ପାର୍ଶ୍ବ ଖୋଳା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନୂଆ ଆବାସ ସମେତ ନୂଆ ସଂସଦ ଭବନ ଭାବେ ପରିଚିତ ସେଣ୍ଟ୍ରାଲ ଭିଷ୍ଟା ୨୦୨୨ ସୁଦ୍ଧା ନିର୍ମାଣ ଶେଷ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ଦେଶରେ ଏବେ ଦୈନିକ କୋଭିଡ୍‌ ସଂକ୍ରମଣ ୪ ଲକ୍ଷ ଟପିଥିବା ବେଳେ ତତ୍‌ଜନିତ ମୃତ୍ୟୁସଂଖ୍ୟା ଦୈନିକ ୪,୦୦୦ ଛୁଇଁଛି। ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଅମ୍ଲଜାନ, କୋଭିଡ୍‌ ଔଷଧ ଓ ଡାକ୍ତରଖାନାରେ ଶଯ୍ୟା ଆଦିର ଘୋର ଅଭାବ ଦେଖା ଦେଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନୂଆ ବାସଗୃହ ନିର୍ମାଣକୁ ସାମାଜିକ ଗଣମାଧ୍ୟମରେ ଅନେକେ ନାପସନ୍ଦ କରିଛନ୍ତି। ଲକ୍‌ଡାଉନ୍‌ କାରଣରୁ ଲକ୍ଷ ଲକ୍ଷ ଲୋକ ଜୀବନଜୀବୀକା ହରାଇ ବସିଥିବା ବେଳେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣର ଆବଶ୍ୟକତା ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

କୋଭିଡ୍‌ ଅବ୍ୟବସ୍ଥା ଭିତରେ ମଧ୍ୟ ଗତ ଏପ୍ରିଲ ଶେଷ ସପ୍ତାହରେ କେନ୍ଦ୍ର ସରକାର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଜରୁରୀ ସେବା ଭାବେ ଘୋଷଣା କରିଥିଲେ। ଏଥିରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ବସ ସେବା ଯୋଗାଇ ଦିଆଯାଉଛି। ପ୍ରାୟ ୫୦ଟି ଫୁଟବଲ ଖେଳ ପଡ଼ିଆ ଆକାରର ଏ ପ୍ରକଳ୍ପ ୨୦୨୨ ଡିସେମ୍ବର ସୁଦ୍ଧା ଶେଷ ହେଲେ ଏଠାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ରହିବା ସହ ନୂଆ ସଂସଦ ଚାଲିବ। ୯୪ ବର୍ଷ ପୁରୁଣା ସଂସଦ ଭବନକୁ ଏକ ସଂଗ୍ରାହାଳୟରେ ପରିଣତ କରାଯିବ।

ଦିଲ୍ଲୀରେ ଏହି ନୂଆ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ସରକାର ୧୩,୪୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ମିଶିଲେ ଏହା ପ୍ରାୟ ୨୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ହେବ।

Leave A Reply

Your email address will not be published.