ଜୋରିମାନା ଦେଇ କନିଆ ନେଇ ଫେରିଲା ଆନ୍ଧ୍ରା ବର
ବିବାହ ସ୍ଥଳରେ କନିଷି ତହସିଲଦାର ତାପସ କୁମାର ରାଉତ ପହଞ୍ଚି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ନହୋଇଥିବା ଦର୍ଶାଇବା ସହ ପାଞ୍ଚ ହଜାର ଟଙ୍କା ଜାରିମାନା ଆଦାୟ କରିଥିଲେ।
ରଙ୍ଗେଇଲୁଣ୍ଡା: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନଜରରେ ରଖି ରାଜ୍ୟ ସରକାର ଆପଣାଛନ୍ତି ଅନେକ କଟକଣା। ଏପରିକି ସାରା ରାଜ୍ୟରେ ୧୪ ଦିନିଆ ଲକ୍ଡାଉନ୍ ଲଗାଇଛନ୍ତି ସରକାର। ଏପରିକି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସହ ତେଲେଙ୍ଗାନାକୁ ସଂଯୋଗ କରୁଥିବା ସମସ୍ତ ସୀମାକୁ ସିଲ କରିବା ସହ ସେଠାରୁ ଓଡ଼ିଶାରେ ପ୍ରବେଶ କରୁଥିବା ପ୍ରବାସୀ ଓଡ଼ିଆଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଓଡ଼ିଶା-ଆନ୍ଧ୍ର ସୀମା ଗିରିସୋଲା ଠାରେ ପ୍ରଶାସନ ପକ୍ଷରୁ ପୁଲିସ, ପରିବହନ ଓ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ ହୋଇଛି।
ଅନ୍ୟପଟେ ଅଭିଯୋଗ ହେଉଛି ଯେ, ଉପରିସ୍ଥ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବା ପୂର୍ବରୁ ଓ ଯିବାର କିଛି ସମୟ ପର୍ଯ୍ୟନ୍ତ ଚେକିଂ କଡାକଡି ହେଉଥିବା ବେଳେ ଅନ୍ୟ ସମୟରେ ସୀମା ଯାଞ୍ଚ କାର୍ଯ୍ୟ ଢିଲା ହେଉଛି। ଆଜି ଆନ୍ଧ୍ର ସୋମପେଟା ମଣ୍ଡଳର କୁମ୍ଭାର ନୂଆଗାଁ ଗ୍ରାମର ଏକ ବର ଓ ୫ଜଣ ଏକ କାର୍ରେ ଗିରିସୋଲା ଚେକ୍ପୋଷ୍ଟ ଦେଇ ଆସିଥିଲେ। ପରେ ଶାସନପଦରରେ ବିବାହ କରି କନ୍ୟା ସହ ପୁଣି କାର ଯୋଗେ ଆନ୍ଧ୍ର ଯାଇଥିବା ଜଣାପଡିଛି।
ତେବେ ବିବାହ ସ୍ଥଳରେ କନିଷି ତହସିଲଦାର ତାପସ କୁମାର ରାଉତ ପହଞ୍ଚି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ନହୋଇଥିବା ଦର୍ଶାଇବା ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ। ସମସ୍ତେ କୋଭିଡ ନେଗେଟିଭ ରିପୋର୍ଟ ଆଣିଥିବା ସୂଚନା ପ୍ରଦାନ କରିଛନ୍ତି ତହସିଲଦାର।