Odisha Link
Bridging the Missing Links in Odisha

ସର୍ବନିମ୍ନ ମଜୁରୀ ଦରରେ ସଂଶୋଧନ, ଉନ୍ନତ କୁଶଳୀ ଶ୍ରମିକଙ୍କୁ ମିଳିବ ୮୫୩ ଟଙ୍କା

ଚଳିତ ବର୍ଷ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସର୍ବନିମ୍ନ ମଜୁରୀ ଦରକୁ ସଂଶୋଧନ କରିଛନ୍ତି ସରକାର। ଏହାଦ୍ୱାରା ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ୧.୫ କୋଟି ଶ୍ରମିକ ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି। ଏଥିପାଇଁ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ହାରରେ ପରିବର୍ତ୍ତନ କରି ନୂଆ ବିଜ୍ଞପ୍ତି ଜାରି କରିଛି। ଚଳିତ ବର୍ଷ ଏପ୍ରିଲ ୧ରୁ ଏହା କାର୍ଯ୍ୟକାରୀ ହେବ।

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସାନ୍ତୋଷ ଗଙ୍ଗୱାର କହିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶର ପ୍ରାୟ ୧.୫ କୋଟି ଶ୍ରମିକ ଉପକୃତ ହେବେ। ଯେଉଁମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିର୍ଦ୍ଧାରିତ ନିଯୁକ୍ତି ସହ ଜଡିତ ସେମାନେ ଉପକୃତ ହେବେ। ସଂଶୋଧିତ ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ଏହି ବର୍ଗର ଲୋକଙ୍କୁ ମହାମାରୀ ସମୟରେ ସହାୟକ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାସ୍ତା, ନିର୍ମାଣ କାମ, ମରାମତି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଯଥାକ୍ରମେ ଏ, ବି ଏବଂ ସି ବର୍ଗରେ ୬୪୫, ୫୩୯ ଏବଂ ୪୩୧ ଟଙ୍କା ପାଇବେ। ଏଥି ସହିତ ଅର୍ଦ୍ଧ କୁଶଳୀ ଶ୍ରମିକମାନଙ୍କୁ ୭୧୪, ୬୦୯, ୫୦୫ଟଙ୍କା ପାଇବାକୁ ଥିବାବେଳେ କୁଶଳୀ ଶ୍ରମିକମାନଙ୍କୁ ୭୮୪, ୭୧୪, ୬୦୯ ଟଙ୍କା ମିଳିବ। ସେହିପରି କୁଶୀଳଠୁ ଉନ୍ନତ ଶ୍ରେଣୀର ଶ୍ରମିକ ୮୫୩, ୭୮୪, ୭୧୪ ଟଙ୍କା ପାଇବେ।

ଏଥିସହ ସଫେଇ କର୍ମଚାରୀ ଯଥାକ୍ରମେ ଏ, ବି ଏବଂ ସି ବର୍ଗରେ ୬୪୫, ୫୩୯, ୪୩୧ ଟଙ୍କା ପାଇବେ। ଏଥି ସହିତ ସୁରକ୍ଷା ଏବଂ ସେବା କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ୭୮୪, ୭୧୪ ଏବଂ ୬୦୯ ଟଙ୍କା ପାଇବାକୁ ଥିବାବେଳେ ଉନ୍ନତ କୁଶଳୀ ଶ୍ରେଣୀର ଶ୍ରମିକମାନେ ୮୫୩, ୭୮୪ ଏବଂ ୭୧୪ ଟଙ୍କା ପାଇବେ। ଖଣି, କ୍ଷେତରେ କାମ କରୁଥିବା ଶ୍ରମିକମାନଙ୍କ ମଜୁରୀ ଦର ମଧ୍ୟ ଏହାଦ୍ୱାରା ସଂଶୋଧିତ ହୋଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ନିଯୁକ୍ତି ସହ ଜଡ଼ିତ ଥିବା କାମ ହେଲା ରେଳ, ପ୍ରଶାସନ, ଖଣି, ତୈଳ କ୍ଷେତ୍ର, ପ୍ରମୁଖ ବନ୍ଦର। ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ କୌଣସି ନିଗମର ଅଧୀନରେ ଥିବା ପ୍ରତିଷ୍ଠାନଗୁଡିକ ପାଇଁ ଏହି ସଂଶୋାଧିତ ନିୟମ ପ୍ରଯୁଜ୍ୟ। ଏହି ହାର ଉଭୟ ଚୁକ୍ତିଭିତ୍ତିକ ଏବଂ କାଜୁଆଲ୍ କର୍ମଚାରୀଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ ବୋଲି ସରକାର କହିଛନ୍ତି।

Leave A Reply

Your email address will not be published.