Odisha Link
Bridging the Missing Links in Odisha

ଫେବୃଆରୀ ଗାଇଡଲାଇନ୍: ଘଣ୍ଟାଏ କମିଲା କଟକଣା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କରୋନା ଗ୍ରାଫ୍‌ ଉପର ତଳ ହେବାରେ ଲାଗି ରହିଛି। ଦୈନିକ ସଂକ୍ରମଣରେ ପୂର୍ବ ଅପେକ୍ଷା କମିଛି। ଏସବୁ ମଧ୍ୟରେ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ପ୍ରେସ୍‌ ବିଜ୍ଞପ୍ତିରେ ନୂଆ କଟକଣା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର।

ନୂଆଗାଇଡ ଲାଇନ୍‌ ଅନୁଯାୟୀ, ଆସନ୍ତାକାଲିଠୁ ଅର୍ଥାତ୍‌ ଫେବୃଆରୀ ୧ ତାରିଖରୁ ଘଣ୍ଟାଏ କମିଲା ନାଇଟ୍‌ କର୍ଫ୍ୟୁ ଅବଧି। ଏଣିକି ସହରାଞ୍ଚଳରେ ରାତି ୯ ନୁହେଁ ବରଂ ୧୦ ଟାରୁ ଲାଗି ହେବ ନାଇଟ୍‌ କର୍ଫ୍ୟୁ କଟକଣା। ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ନାଇଟ୍‌ କର୍ଫ୍ୟୁ।

ସବୂଠୁ ବଡ଼କଥା ହେଲା ଚଳିତ ବର୍ଷ ସରସ୍ବତୀ ପୂଜାକୁ ଅନୁମତି ଦିଆଯାଇଛି। ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ୍‌ ଗାଇଡଲାଇନ୍‌କୁ ପାଳନ କରି ଛାତ୍ରଛାତ୍ରୀମାନେ ସରସ୍ବତୀ ପୂଜା କରିପାରିବେ । କିନ୍ତୁ ସର୍ବସାଧାରଣ ସ୍ଥାନରେ ସରସ୍ବତୀ ପୂଜାକୁ ଅନୁମତି ଦିଆଯାଇ ନାହିଁ । ମାଘ ସପ୍ତମୀ ଏବଂ ମାଘ ପୂର୍ଣ୍ଣିମାକୁ ଅନୁମତି ଦିଆଯାଇଛି।

ରାତ୍ରୀ କାଳୀନ କର୍ଫ୍ୟୁ ବେଳେ ଜାନୁଆରୀ ମାସରେ ଜାରି କରାଯାଇଥିବା ନିୟମାବଳୀ ଫେବୃଆରୀ ମାସରେ ମଧ୍ୟ ଲାଗୁହେବ। ଖାଦ୍ୟ ହୋମ୍‌ ଡେଲିଭରୀ, ଗ୍ରୋସରୀ, ପନିପରିବା, ମାଛ, ମାଂସ, ଅଣ୍ଡା କ୍ଷୀର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଜାରି ରହିବ । ସ୍ବିଗି, ଜୋମାଟୋ, ଓମ୍‌ଫେଡ୍‌, ଚିଲିକା ଫ୍ରେସ୍‌ ଖୋଲା ରହିବ।

Leave A Reply

Your email address will not be published.