Odisha Link
Bridging the Missing Links in Odisha

ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ କଟିବ ଚାଲାଣ

ଗାଡ଼ିର ଶେଷ ନମ୍ବର ୧,୨,୩,୪,୫ ଓ ୬ ଥିବା ସେହି ଗାଡ଼ି ଗୁଡିକର ନମ୍ବର ପ୍ଲେଟ୍‌ ଯାଞ୍ଚ କରାଯିବ

ଓଏଲ୍‌ ବ୍ୟୁରୋ : ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ ଗାଡି ଚାଳକଙ୍କୁ ଦେବାକୁ ପଡିବ ଜୋରିମାନା। ଚଳିତ ମାସ ୧୫ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆରପି)କୁ ନେଇ ନିୟମ କଡାକଡି କରିଛନ୍ତି ପରିବହନ ବିଭାଗ। ସୂଚନା ଅନୁସାରେ ଯେଉଁ ଗାଡ଼ିର ଶେଷ ନମ୍ବର ୧,୨,୩,୪,୫ ଓ ୬ ଥିବା ସେହି ଗାଡ଼ି ଗୁଡିକର ନମ୍ବର ପ୍ଲେଟ୍‌ ଯାଞ୍ଚ କରାଯିବ। ଉପରୋକ୍ତ ସଂଖ୍ୟା ଯୁକ୍ତ ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ ପାଇଁ ଏଚ୍‌ଏସ୍‌ଆରପି ଆବେଦନ ସମୟସୀମା ଗତବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଥିବା ଯୋଗୁଁ ଏହି ଶେଷ ସଂଖ୍ୟା ଥିବା ଗାଡ଼ି ଗୁଡିକୁ ଯାଞ୍ଚ କରିବା ପାଇଁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି।

ଖବର ଅନୁସାରେ, ଗାଡିର ରେଜିଷ୍ଟ୍ରେସନ୍‌ ନମ୍ବରର ଶେଷ ସଂଖ୍ୟା ୭ ଓ ୮ ଥିଲେ ଚଳିତ ବର୍ଷ ଜାନୁଆରୀ ୩୧ ତାରିଖ ସୁଦ୍ଧା ଏଚ୍‌ଏସ୍‌ଆରପି ଲଗାଇବା ଜରୁରୀ। ସେହିପରି ଶେଷ ସଂଖ୍ୟା ୯ ଓ ୦ ଥିଲେ ଏଚ୍‌ଏସ୍‌ଆରପି ଲଗାଇବା ପାଇଁ ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ସମୟ ସରିବା ପରେ ସବୁ ଗାଡ଼ିକୁ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି। ତେବେ ରାଜ୍ୟ ପରିବହନ କମିଶନର (ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଥିବାବେଳେ ଆସନ୍ତା ୧୫ ତାରିଖ ପରେ ୧ରୁ ୬ ସଂଖ୍ୟା ପର୍ଯ୍ୟନ୍ତ ଥିବା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ ଲାଗିନଥିଲେ ଚାଲାଣ କଟିବ। ମୋଟର ଯାନ ଆଇନ୍‌ ୧୯୮୮ର ଧାରା ୧୯୨ ଅନୁସାରେ ଏଚ୍‌ଏସ୍‌ଆରପି ନଥିଲେ ୫୦୦୦ରୁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ ବୋଲି ଜଣା ପଡିଛି।