Odisha Link
Bridging the Missing Links in Odisha

ଓଡ଼ିଆ ପଢ଼ି ଓ ଲେଖି ପାରିଲେନି, ଚାଲିଗଲା ସରପଞ୍ଚ ପଦ

ଓଏଲ୍‌ ବ୍ୟୁରୋ: ପ୍ରାୟ ବର୍ଷକ ତଳେ ରାଜ୍ୟରେ ହୋଇଥିଲା ପଞ୍ଚାୟତ ନିର୍ବାଚନ। ଏଭଳିକି ନବନିର୍ବାଚିତ ସରପଞ୍ଚ ମାନେ ଏକ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବେ ମଧ୍ୟ। ଏସବୁ ମଧ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରାୟ ବର୍ଷକ ପରେ ଜଣେ ସରପଞ୍ଚ ଅଯୋଗ୍ୟ ଘୋଷିତ ହୋଇଛନ୍ତି। କାରଣ ସେ ସତ୍ୟପାଠରେ ଉଲ୍ଲେଖ କରିଥିଲେ ମିଥ୍ୟା ତଥ୍ୟ। ପଢ଼ିଲେଖି ନ ଜାଣି ବି ନିଜେ ପାଠୁଆ ବୋଲି ଉଲ୍ଲେଖ କରି ଜିତିଥିଲେ ନିର୍ବାଚନ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ଅଯୋଗ୍ୟ ଘୋଷିତ ହୋଇଥିବା ସରପଞ୍ଚ ହେଲେ ଗେଙ୍ଗୁଟିଆ ଗ୍ରାମପଞ୍ଚାୟତ ସରପଞ୍ଚ କୈଳାସ ଚନ୍ଦ୍ର ଦେହୁରୀ।

ଗତବର୍ଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୈଳାସ ଚନ୍ଦ୍ର ଦେହୁରୀ ଗେଙ୍ଗୁଟିଆ ଗ୍ରାମପଞ୍ଚାୟତ ପାଇଁ ସରପଞ୍ଚ ଭାବେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ଲଢ଼ି ନିକଟତମ ପ୍ରତିଦ୍ୱନ୍ଦ୍ୱି ପୁରୁଷୋତ୍ତମ ଦେହୁରୀଙ୍କୁ ହରାଇ ସରପଞ୍ଚ ପଦରେ ବସିଥିଲେ। ମାତ୍ର କୈଳାସ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା ବୋଲି ଉଲ୍ଲେଖ କରି ପୁରୁଷୋତ୍ତମ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରାୟ ବର୍ଷେ ହେବ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଏବେ ରାୟ ପ୍ରକାଶ କରିଛନ୍ତି ଢେଙ୍କାନାଳ ଜୁନିୟର ଡିଭିଜନ ସିଭିଲ ଜଜ୍ କୋର୍ଟ।

ଡ଼ିଶା ଗ୍ରାମପଞ୍ଚାୟତ ଆଇନ୍ ୧୯୬୪ ଧାରା ୧୧(ବି) ଅନୁସାରେ, ଓଡ଼ିଆ ଭାଷା ଲେଖିବା ଓ ପଢ଼ି ନ ପାରିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏଥିସହ ତାଙ୍କଠୁ ଅଳ୍ପ ବ୍ୟବଧାନରେ ହାରିଥିବା ପ୍ରାର୍ଥୀଙ୍କୁ ସରପଞ୍ଚ ଭାବେ ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.