Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷ ରାଜନୀତିର ଦସ୍ତାବେଜ୍ ‘ନବୀନ@୨୫’ ଉନ୍ମୋଚିତ

ନବୀନ ପଟ୍ଟନାୟକଙ୍କ ରାଜନୈତିକ ସ୍ଥିରତା ଉପରେ ଗବେଷଣା ଆରମ୍ଭ ହେଲାଣି: ପ୍ରୀତିରଂଜନ ଘଡ଼ାଇ

ଭୁବନେଶ୍ବର: ଦୀର୍ଘ ୨୫ ବର୍ଷ ଧରି ରାଜନୀତିେର ଅବିଚଳିତ ଓ ଅଲଂଘ୍ୟ ହୋଇ ରହିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଚିନ୍ତାଧାରା ବିରଳ। ଜନତାଙ୍କ ପ୍ରିୟଭାଜନ ହୋଇ ନିରନ୍ତର ସଫଳତା ହାସଲ କରିଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ପୁଞ୍ଜି ହେଉଛି ପ୍ରଗତି ଓ ସରଳତା। ତାଙ୍କ ରାଜନୈତିକ ସ୍ଥିରତା ଉପରେ ଏବେ ଗବେଷଣା ଆରମ୍ଭ ହେଲାଣି ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ।

‘ନବୀନ@୨୫: ପର୍ସ୍‌ପେକ୍ଟିଭ୍‌ସ’ ପୁସ୍ତକ ଉନ୍ମୋଚନ କରି ଶ୍ରୀ ଘଡ଼ାଇ ନବୀନ ବାବୁଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରା ଓ ଜନତାଙ୍କ ପ୍ରିୟଭାଜନ ହେବାର ଧାରା ଉପରେ ଆଲୋକପାତ କରିଥିଲେ। ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଲେଖକ ତଥା ଏଫ୍‌ଆଇଡିଆର୍‌ର ଅଧ୍ୟକ୍ଷ ଚାରୁଦତ୍ତ ପାଣିଗ୍ରାହୀ କହିଲେ ଯେ ବର୍ତମାନର ରାଜନୈତିକ ପ୍ରେକ୍ଷାପଟ୍ଟରେ ନବୀନ ଜଣେ ବିରଳ ବିସ୍ମୟ। ରାଜନୀତିରେ ସ୍ଥିରତା ଅଦୃଶ୍ୟ ହେବାକୁ ବସିଥିବାବେଳେ ନିଜର ଲୋକାଭିମୂଖୀ ନୀତି ଓ ସରଳତା ପାଇଁ ୨୫ ବର୍ଷ ଧରି ଅପରାଜେୟ ଭୋବ ରାଜନୀତିରେ ତିଷ୍ଠି ରହି ନବୀନ ବିଶ୍ବରେ ଏକ ବିରଳ ବ୍ୟକ୍ତିତ୍ବ ପାଲଟିଛନ୍ତି। ନବୀନ ପଟ୍ଟନାୟକ କମ କଥା କହନ୍ତି ଓ ତାଙ୍କର କାମ ହିଁ ତାଙ୍କର ଦକ୍ଷତା ପ୍ରତିପାଦିତ କରେ ବୋଲି ଶ୍ରୀ ପାଣିଗ୍ରାହୀ ମତ ଦେଇଥିଲେ। ନବୀନଙ୍କ ଜୀବନଯାପନ ଉପରେ ଆଲୋକପାତ କରି ତାଙ୍କୁ ଜଣେ ସନ୍ନ୍ୟାସୀଙ୍କ ସହ ତୁଳନା କରିଥିଲେ ଶ୍ରୀ ପାଣିଗ୍ରାହୀ।

ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ନବୀନ ପଟ୍ଟନାୟକଙ୍କ ୨୫ ବର୍ଷର ରାଜନୈତିକ ଦୃଷ୍ଟିଭଙ୍ଗୀକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିଥିବା ୨୫ ଜଣ ଲେଖକ ଏ ପୁସ୍ତକରେ ନିଜର ଆଲେଖ ରଖିଛନ୍ତି। ସେମାନେ ହେଲେ ଚିନ୍ମୟ ଜେନା, ଅରୁଣ କୁମାର ମହାନ୍ତି, ସତ୍ୟନାରାୟଣ ମିଶ୍ର, ତ୍ରୈଲୋକ୍ୟ ଜେନା, ବସନ୍ତ କୁମାର ପଣ୍ଡା, ଭାସ୍କର ପରିଚ୍ଛା, ଦୀପକ ସାମନ୍ତରାୟ, ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ, ବିଜୟକେତନ ମିଶ୍ର, ପ୍ରଦୀପ ବିଶ୍ବାଳ, ତେଜେଶ୍ବର ପଟ୍ଟନାୟକ, ଅନୀଲ ଧୀର, ଚିନ୍ମୟ କୁମାର ହୋତା, ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ଦାସ, ପ୍ରସନ୍ନ କୁମାର ପଣ୍ଡା, ଦାଶରଥୀ ଭୂୟାଁ, ଚାରୁଦତ୍ତ ପାଣିଭ୍ରାହୀ, ତପନ କୁମାର ପଣ୍ଡା, ସମ୍ବିତ ଦାଶ, ଶୋଭନ କର, ଅବଶ ପରିଡ଼ା, ପ୍ରଦୀପ କୁମାର ପଣ୍ଡା ଓ ଯତୀନ୍ଦ୍ର କୁମାର ନାୟକ। ଏ ଅବସରରେ ସମସ୍ତ ଲେଖକଙ୍କୁ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ଉତ୍ସବ ପରିଚାଳନ କରିଥିଲେ ମୃତ୍ୟୁଞ୍ଜୟ ରଥ।

Leave A Reply

Your email address will not be published.