Odisha Link
Bridging the Missing Links in Odisha

ପୂର୍ବତନ ରାଜ୍ୟପାଳଙ୍କୁ ସିବିଆଇ ସମନ, ନିକଟରେ କେନ୍ଦ୍ର ସରକାରଙ୍କୁ କରିଥିଲେ ଟାର୍ଗେଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟାପଳ ସତ୍ୟପାଳ ମଲିକଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କାରଣ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ସତ୍ୟପାଳଙ୍କୁ ସମନ ଜାରି କରିଛି। ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ସିବିଆଇ ଖୋଳତାଡ଼ କରୁଛି। ଏନେଇ ପଚରାଉଚରା କରିବାକୁ ସିବିଆଇ ନୋଟିସ ପଠାଇଥିବା ଜଣାପଡ଼ିଛି। ମେ’ ୨୮ ତାରିଖରେ ତାଙ୍କୁ ସିବିଆଇ ଜେରା କରିବାକୁ ଚାହୁଁଥିବା ସମନରେ ଉଲ୍ଲେଖ ରହିଛି।

ସମନ ସମ୍ପର୍କରେ ସତ୍ୟପାଲ ମଲିକ କହିଛନ୍ତି ଯେ “ସିବିଆଇ ମୋ କିଛି ବୟାନ ଉପରେ ସ୍ପଷ୍ଟୀକରଣ ପାଇଁ ଡାକିଛି। ମୋତେ କେନ୍ଦ୍ରୀୟ ଦିଲ୍ଲୀର ଆକବର ରୋଡ ଗେଷ୍ଟ ହାଉସକୁ ଡକା ଯାଇଛି। ମୁଁ ସେମାନଙ୍କୁ ଏପ୍ରିଲ ୨୭ରୁ ୨୯ ମଧ୍ୟରେ ଉପଲବ୍ଧ ହେବି ବୋଲି କହିଛି।”

ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ବେଳେ ସତ୍ୟପାଲ ମଲିକ ରିଲାଏନ୍ସ କମ୍ପାନୀର ଗୋଟିଏ ବୀମା ଡିଲ୍‌କୁ ବାତିଲ କରି ଦେଇଥିଲେ। ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ରିଲାଏନ୍ସ ଇନସ୍ୟୁରାନ୍ସ କରାଯିବାର ଥିଲା। ହେଲେ ଏଥିରେ ବ୍ୟାପକ ଦୁର୍ନୀତି ଓ ସେବା ଭଲ ନଥିବା ଅଭିଯୋଗ କରି ଶ୍ରୀ ମଲିକ ଡିଲ୍‌ ବାତିଲ କରି ଦେଇଥିଲେ।

ସୂଚନାଥାଉକି, ଗତ ଏପ୍ରିଲ ୧୪ ତାରିଖରେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, ବରିଷ୍ଠ ସାମ୍ବାଦିକ କରଣ ଥାପରଙ୍କୁ ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ ଜାତୀୟ ନିରାପତ୍ତା ଏବଂ ଦୁର୍ନୀତି ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟ ବିଷୟରେ ବଡ଼ ଖୁଲାସା କରିଥିଲେ।

ଏଥିସହ ସାକ୍ଷାତକାରରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ନେତା ରାମ ମାଧବ ତାଙ୍କୁ ରିଲାଏନ୍‌ସ ଇନସ୍ୟୁରାନ୍‌ସ ଦ୍ୱାରା ପ୍ରସ୍ତାବିତ ଏକ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ଚେଷ୍ଟା କରିଥିଲେ। ତେବେ, ଯେତେବେଳେ ମଲିକ ସ୍ପଷ୍ଟ କରିଥିଲେ ଯେ ଏହି ଯୋଜନା ବାତିଲ ହୋଇଛି ଏବଂ କାଗଜପତ୍ର ପ୍ରସ୍ତୁତ ହୋଇଯାଇଛି, ମାଧବ ନିରାଶ ହୋଇ ଫେରି ଯାଇଥିଲେ।

Leave A Reply

Your email address will not be published.