Odisha Link
Bridging the Missing Links in Odisha

ଝାରସୁଗୁଡ଼ା ଉପନିର୍ବାଚନ: ବିହାରୀ ଭୋଟ ହାତେଇବାକୁ ଉଦ୍ୟମ

ଓଏଲ୍‌ ବ୍ୟୁରୋ: ରାତିପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍। ନିଜ ମନ ପସନ୍ଦର ନେତା ବାଝିବେ ଜନତା। ହେଲେ ଏବେବି ସରିନାହିଁ ରାଜନୈତିକ ଅଙ୍କକଷା। କାରଣ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିହାରା ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏଥିସହିତ ପୁରୀରେ ବିହାର ଭବନ ନିର୍ମାଣ ପାଇଁ ଜମି ଦେବେ ଓଡ଼ିଶା ସରକାର। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା।

ଏକ ରିପୋର୍ଟରେ ପ୍ରକାଶିତ ଖବର ଅନୁଯାୟୀ, ଝାରସୁଗୁଡ଼ାରେ ବିହାରୀ ଭୋଟରଙ୍କ ସଂଖ୍ୟା ୫ହଜାରରୁ ଉର୍ଦ୍ଧ୍ବ ରହିଛି। ଉପନିର୍ବାଚନରେ ବିହାରୀ ଭୋଟରଙ୍କ ଭୋଟ ହାତେଇବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆପଣେଇଛନ୍ତି ରଣନୀତି। ଓଡ଼ିଶା କଂଗ୍ରେସ କହ୍ନେୟା କୁମାରଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିଥିଲା। କାରଣ ସେ ବିହାର ବାସିନ୍ଦା। ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧରଙ୍କ ପାଇଁ ଭୋଜପୁରୀ ଅଭିନେତା ତଥା ବିଜେପି ନେତା ମନୋଜ ତିଓ୍ବାରୀ ପ୍ରଚାର କରିଥିଲେ। ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏଥିସହିତ ପୁରୀରେ ବିହାର ଭବନ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବେ ବୋଲି ନୀତିଶଙ୍କୁ କହିଛନ୍ତି ନବୀନ ପଟ୍ଟନାୟକ। ନବୀନ-ନୀତିଶ କୁମାର ଭେଟଘାଟ ରାଜନୈତିକ ସାକ୍ଷାତକାର ହୋଇନଥିଲେ ମଧ୍ୟ ଦୁହିଁଙ୍କ ସାକ୍ଷାତକାର ଉପନିର୍ବାଚନରେ ପ୍ରଭାବ ପକାଇପାରେ ବୋଲି ମତ ରଖିଛନ୍ତି ରାଜନୈତିକ ବିଶେଷଜ୍ଞ ।

ସୂଚନାଥାଉକି, ପ୍ରଥମଥର ପାଇଁ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ହେବ ଓ୍ବେବକାଷ୍ଟିଂ। ଚଳିତଥର ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ଥିବାବେଳେ ଏଥିରେ ୧ ଲକ୍ଷ ୧୦ ହଜାର ୩୨୦ ଜଣ ପୁରୁଷ, ୧ ଲକ୍ଷ ୧୦ ହଜାର ୬୮୭ ଜଣ ମହିଳା ଓ ୬୩ ଜଣ କିନ୍ନର ଭୋଟର ରହିଛନ୍ତି। ସମସ୍ତ ବୁଥରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ।

ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୫୩ଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ୨୬ଟି ପିଙ୍କ୍ ବୁଥ୍ କେବଳ ମହିଳା ଭୋଟରଙ୍କ ପାଇଁ କରାଯାଇଛି। ମତଦାନକୁ ଶୃଙ୍ଖଳିତ କରିବା ପାଇଁ ପ୍ରତି ବୁଥରେ ୪ଜଣ ଲେଖାଏଁ ପୋଲିଂ ଅଫିସରଙ୍କୁ ମିଶାଇ ମୋଟ ୧ହଜାର ୧୨ଜଣ ପୋଲିଂ ଅଫିସର ନିୟୋଜିତ ହେବେ। ଏଥିସହିତ ୯୬ ଜଣ ପୋଲିଂ ଅଧିକାରୀଙ୍କୁ ସଂରକ୍ଷିତ ରଖାଯିବା ସହ ୬୯ଟି ବୁଥରେ ମାଇକ୍ରୋ ଅବଜର୍ଭର ନିଯୁକ୍ତ କରାଯିବ।

Leave A Reply

Your email address will not be published.