Odisha Link
Bridging the Missing Links in Odisha

ନବ ଦାସ ହତ୍ୟାକାଣ୍ଡ: ଚାର୍ଜସିଟ୍ ଦାଖଲ ପରେ ଆରମ୍ଭ ହେଲା ରାଜନୈତିକ ବୟାନବାଜି

ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ ହତ୍ୟା କରିଥିବା ଉଲ୍ଲେଖ।

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ଆଉ କିଛି ଦିନରେ ପୂରିବ ୪ ମାସ। ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଝାରସୁଗୁଡ଼ା ସ୍ଥିତ ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ। ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଥିବାବେଳେ ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ ହତ୍ୟା କରିଥିବା ଉଲ୍ଲେଖ। ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।

ଶାସକଦଳ ବିଜେଡିକୁ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ଟାର୍ଗେଟ କରିଥିବାବେଳେ ଚାର୍ଜସିଟ୍ ଦାଖଲ ପରେ ବିରୋଧୀ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି। ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଚାର୍ଜସିଟରେ ହତ୍ୟାର କାରଣ ସ୍ପଷ୍ଟ ନାହିଁ। ନବ ଦାସ ଏବଂ ତାଙ୍କ ଲୋକ ମାନଙ୍କ ପାଖରୁ ଗୋପାଳ ଦାସକୁ ଯଦି ଭୟ ଥିଲା, ତାହେଲେ କଣ ପାଇଁ ଭୟ ଥିଲା ଚାର୍ଜସିଟରେ ଲେଖିନାହାନ୍ତି କ୍ରାଇମବ୍ରାଞ୍ଚ। ଚାର୍ଜସିଟରେ ମିଛ କଥା ସବୁ ଲେଖିଛନ୍ତି। କଣ ଓ କାହିଁକି ଭୟ ଥିଲା ତାହାର ଉତ୍ତର ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଗୋପାଳ ଦାସ ଜଣେ ସାଧାରଣ ଲୋକ କି ଅପରାଧୀ ନୁହନ୍ତି। ଓଡ଼ିଶାବାସୀଙ୍କ ମନରେ ହତ୍ୟା ପଛରେ ଥିବା ସଂପୃକ୍ତିକୁ ନେଇ ପ୍ରଶ୍ନ ହୋଇ ରହିଗଲା। ଘଟଣାକୁ ଘଣ୍ଟ ଘୋଡାଇବାକୁ କ୍ରାଇମବ୍ରାଞ୍ଚକୁ ଯାଞ୍ଚ ଦାୟିତ୍ଵ ଦିଆଯାଇଥିଲା। ଏଥିରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ। ପ୍ରମାଣ ଅଭାବରୁ ଗୋପାଳ ଦାସଙ୍କୁ ଖସାଇବାକୁ ସଫଳ ହେବେ। ହତ୍ୟା ପଛରେ ବଡ ଧରଣର ଷଡଯନ୍ତ୍ର ରହିଛି। ରାଜ୍ୟ ସରକାର ଖୁଲାସା କରନ୍ତୁ। ଭୟ କଣ ପାଇଁ ଥିଲା ତାହାର ଉତ୍ତର ମଧ୍ୟ ସରକାର ଲୋକଙ୍କ ଆଗରେ ରଖନ୍ତୁ।

ଅନ୍ୟପଟେ, ଚାର୍ଜସିଟ୍ ଦାଖଲ ପରେ ବିରୋଧୀ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି। ଦଳର ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଭଲ ଅଛି। ଉତ୍ତରପ୍ରଦେଶ, ଗୁଜୁରାଟ ଠାରୁ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ଭଲ ଅଛି। କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିବେ ନ୍ୟାୟ ସମସ୍ତଙ୍କୁ ମିଳିବ। ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ମିଳିବ। ବିରୋଧୀ ଅନେକ କଥା କହିବେ। ସରକାର ଯେତେ ଭଲ କାମ କଲେ ବି ବିରୋଧୀ କହିବେ। ବିରୋଧୀ ତାଙ୍କ କାମ କରନ୍ତୁ, ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ। ସାଧାରଣ ଲୋକଙ୍କ ପାଇଁ ଯାହା କରିବା କଥା ସରକାର କରିବେ।

Leave A Reply

Your email address will not be published.