Odisha Link
Bridging the Missing Links in Odisha

ଜଘଣ୍ୟ ଜ୍ୱାଇଁ: ଶାଳୀ-ଶାଶୁଙ୍କୁ କଲା ଧର୍ଷଣ, ପରେ ଶାଳୀକୁ ହାଣି ୨ଶହ ଫୁଟ ତଳକୁ ଫିଙ୍ଗିଲା

କେନ୍ଦୁଝର: ଛତୁ ଆଣିବାକୁ ଜଙ୍ଗଲକୁ ଯାଇଥିଲେ ଶାଶୁ, ଶାଳୀ ଓ ଜ୍ବାଇଁ। ହେଲେ ଜଙ୍ଗଲରେ ପହଁଞ୍ଚିବା ପରେ ଜ୍ବାଇଁର ଭୁଲିଗଲା ସମ୍ପର୍କ। ମନ୍ଦ ଉଦ୍ଦେଶ୍ୟ ରଖିଥିବା ଜ୍ବାଇଁ ଶାଳୀକୁ ଧର୍ଷଣ କରିବା ପରେ ମନ ବୁଝିଲାନି। କୁରାଢୀରେ ଶାଳୀକୁ ହାଣି ୨୦୦ ଫୁଟ ଖାଇକୁ ଫିଙ୍ଗିଦେଲା ଭିଣୋଇ। ଏହାପରେ ଶାଶୁକୁ ଗଛରେ ବାନ୍ଧି ଧର୍ଷଣ କଲା ଜ୍ବାଇଁ। ପରେ କଳେବଳେ କୌଶଳେ ଖସିଗଲେ ଶାଶୁ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ କିରିବୁର ଅଞ୍ଚଳରେ।

ମିଳିଥିବା ସୂଚନା ମୁତାବିକ, କେନ୍ଦୁଝର ଜିଲ୍ଲା ବଲାଣି ଥାନା କିରିବୁର ଅଞ୍ଚଳରେ ଗତକାଲି ମଧ୍ୟାହ୍ନରେ ଜଘନ୍ୟ କାଣ୍ଡ। ଶାଶୂ ଓ ଶାଳୀ ସହ ଜଙ୍ଗଲକୁ ଛତୁ ଓ କୁରକୁଟି ଆଣିବାକୁ ଯାଇଥିବା ବେଳେ ଜ୍ବାଇଁର ଜଘନ୍ୟ ଅପରାଧ। ଜଙ୍ଗଲରେ ଶାଶୁଙ୍କୁ ବାନ୍ଧି ଶାଳୀକୁ ଧର୍ଷଣ ପରେ ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭିଣୋଇ । ହତ୍ୟାକାରୀ ହେଉଛି ରୂପ ସିଂ ସିଦ୍ଧୁ।

ମୂର୍ଗାପଡାରେ ରହୁଥିବା ଶାଶୁ ଫୁଲମଣି ହସା ଓ ଶାଳୀ ମରିୟମ ହସା ସହିତ ରୂପ ସିଂ ଜଙ୍ଗଲକୁ ଛତୁ ସଂଗ୍ରହ କରିବା ପାଇଁ ଯାଇଥିଲେ। ବାଟରେ ଶାଳୀ ମରିୟମ ସହିତ ଝଗଡା ହୋଇଥିଲା। ପରେ ଏହି ଝଗଡା ଉଗ୍ର ରୂପ ନେବାରୁ ରୂପ ସିଂ ମରିୟମକୁ ଧର୍ଷଣ କରିବା ପରେ କୁରାଢ଼ୀରେ ବେକକୁ କାଟି ୨୦୦ ଫୁଟ ଖାଇକୁ ଫିଙ୍ଗି ଦେଇଥିଲା। ଏହାପରେ ଶାଶୂ ଫୁଲମଣିର ହାତକୁ ବାନ୍ଧି ଧର୍ଷଣ କରିଥିଲା। କୌଶଳ କ୍ରମେ ଫୁଲମଣି ଖସି ଆସି କିରିବୁର ଥାନାରେ ଖବର ଦେବାରୁ କିରିବୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବଲାଣି ଥାନାକୁ ଖବର ଦେଇଥିଲା। ତେବେ ମରିୟମର ମୃତଦେହ ୨୦୦ ଫୁଟ ତଳେ ଖାଇରେ ଖସି ପଡିଥିବା ହେତୁ ଏଯାଏଁ ମୃତଦେହ ଉଦ୍ଧାର ହୋଇନାହିଁ। ହତ୍ୟାକାରୀ ରୂପ ସିଂ ସିଦ୍ଧୁ ବର୍ତ୍ତମାନ ଯାଏଁ ଫେରାର ଅଛି ।

ଅନ୍ୟପଟେ, କିରିବୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି କେନ୍ଦୁଝର ଜିଲ୍ଲାର ବଲାଣି ଥାନାକୁ ଖବର ଦେଇଥିଲେ । ବଲାଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.