Odisha Link
Bridging the Missing Links in Odisha

ଲକ୍‌ଡାଉନ୍ ଅବଧି ବୃଦ୍ଧି ନିଷ୍ପତିକୁ ସ୍ୱାଗତ ଜଣାଇଲା ରାଜ୍ୟ ବିଜେପି

ଭୁବନେଶ୍ବର: କରୋନାକୁ ବିରୁଦ୍ଧରେ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହା ସହ ୨୧ ଦିନର ଲକ ଡାଉନକୁ ସମଗ୍ର ଦେଶବାସୀ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଦେଶରେ ଲକଡାଉନ ହେବା କାରଣରୁ କରୋନା ନିୟନ୍ତ୍ରଣାଧୀନ ରହିଛି। ଆଗାମୀ ଦିନରେ ଘରେ ସୁରକ୍ଷିତ ରହିଲେ କରୋନା ମହାମାରୀକୁ ଦେଶରୁ ହଟାଇପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ୭ ଟି ପରାମର୍ଶ ପାଳନ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଦେଶରେ ବୃଦ୍ଧି ହୋଇଥିବା ଲକଡାଉନ ନିଷ୍ପତିକୁ ରାଜ୍ୟ ବିଜେପି ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀଙ୍କ ୭ ଟି ପରାମର୍ଶକୁ ପାଳନ କଲେ ଆମେ ରାଜ୍ୟ ସମେତ ଦେଶରେ କରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ବିଜୟୀ ହୋଇପାରିବା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିବା ସହ ରାଜ୍ୟବାସୀଙ୍କୁ ଏହି ପରାମର୍ଶଗୁଡିକୁ ପାଳନ କରିବା ପାଇଁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ (୧)ସମସ୍ତେ ନିଜ ଘରେ ରହୁଥିବା ବୟସ୍କ ବ୍ୟକ୍ତି ମାନଙ୍କର ଯତ୍ନ ନେବା, ଯଦି ସେମାନଙ୍କ ଠାରେ କିଛି ଅନ୍ୟ ରୋଗ ରହିଛି ତେବେ ସେମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା (୨) ସାମାଜିକ ଦୂରତା ବଜାୟ ରଖିବା ଏବଂ ସଦାସର୍ବଦା ଘରେ ତିଆରି ହୋଇଥିବା ମାସ୍କ ପରିଧାନ କରିବା (୩) ନିଜର ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି କରିବା ପାଇଁ ଆୟୂଷ ମନ୍ତ୍ରଣାଳୟର ନିର୍ଦ୍ଦେଶକୁ ପାଳନ କରିବା (୪) କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ ବ୍ୟବହାର କରିବା ଏବଂ ଅନ୍ୟ ଲୋକମାନଙ୍କୁ ବ୍ୟବହାର କରିବା ପାଇଁ ପ୍ରବର୍ତାଇବା (୫) ଗରିବ ପରିବାରର ଦେଖାଶୁଣା କରିବା ସହ ସେମାନଙ୍କର ଭୋଜନ ବ୍ୟବସ୍ଥା କରାଇବା (୬) ନିଜ ବ୍ୟବସାୟ, ଶିଳ୍ପ ସଂସ୍ଥାନ ଏବଂ ଆପଣଙ୍କ ସହ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପ୍ରତି ସମ୍ବେଦନଶୀଳ ହେବା ସହ କାହାକୁ ଚାକିରୀରୁ ବାହାର କରିବେ ନାହିଁ (୭) ଦେଶର କରୋନା ଯୋଦ୍ଧା ଯେପରି ଡାକ୍ତର, ନର୍ସ, ପୁଲିସ ଓ ସଫେଇ କର୍ମଚାରୀମାନଙ୍କୁ ପ୍ରତି ସମ୍ମାନ ଜଣାଇବା ଆଦି କାର୍ଯ୍ୟ କରିବା। ଏହି ୭ଟି ପରାମର୍ଶକୁ ପାଳନ କରି ଆମେ ଏକ କରୋନା ମୁକ୍ତ ସୁସ୍ଥ ସମାଜ ଗଠନ କରିପାରିବା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟବାସୀଙ୍କୁ ଆହ୍ୱାନ ଦେବାକୁ ଯାଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ପୂର୍ବଭଳି ଏହି ଲକଡାଉନ ଅବଧିକୁ ଘରେ ରହି, ମାସ୍କ ପିନ୍ଧି ସାମାଜିକ ଦୂରତା ପାଳନ କରି କରୋନା ବିରୁଦ୍ଧରେ ଆମେ ସମସ୍ତେ ସଂଗ୍ରାମ କରିବା। ଏହା ସହ କରୋନା ଭୂତାଣୁକୁ କୌଣସି ନୂଆ ଅଂଚଳରେ ଭର୍ତି କରିଦେବା ନାହିଁ ବୋଲି ଶପଥ କରିବା। ବିଶେଷ କରି ଯୁବକମାନେ ଏହି ସଙ୍କଟ ସମୟରେ ଦାୟୀତ୍ୱବାନ ଭାବେ କାର୍ଯ୍ୟ କରି ସମାଜର ସୁରକ୍ଷା କରନ୍ତୁ।

Comments are closed.