Odisha Link
Bridging the Missing Links in Odisha

ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ମାଗିଲା ପାକିସ୍ତାନ

ନୂଆଦିଲ୍ଲୀ: କରୋନା ଭୂତାଣୁର ଔଷଦ ବୋଲି ଦାବି ହେଉଥିବା ରୋଗପ୍ରତିରୋଧକ ଶକ୍ତିସମ୍ପନ୍ନ ମ୍ୟାଲେରିଆ ବଟିକା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପାଇଁ ଭାରତକୁ ନିବେଦନ କରିଛି ପାକିସ୍ତାନ। ରିପୋର୍ଟ ଅନୁସାରେ ପୂର୍ବରୁ ଏହାର ଆମଦାନୀ ଉପରେ କଟକଣା ଲଗାଇଥିବା ପାକିସ୍ତାନ ଏବେ ଭାରତ ଠାରୁ ଏହି ଔଷଧ କିଣିବାକୁ ଆଗ୍ରହ ଦେଖାଇଛି।

ଭାରତ ହାଇଡ୍ରୋକ୍ସିକ୍ଲୋୋକୁଇନ୍‌ ଓ ପାରାସିଟାମଲ ରପ୍ତାନୀ ଉପରୁ କଟକଣା ହଟାଇବାର ଗୋଟିଏ ଦିନ ପରେ ଗତ ସପ୍ତାହରେ (୮ ଏପ୍ରିଲରେ) ସାର୍କ ଦେଶ ସମୁହର ବାଣିଜ୍ୟ ଅଧିକାରୀମାନଙ୍କର ଏକ ବୈଠକ (ଭିଡିଓ କନଫରେନ୍ସିଂ ଜରିଆରେ) ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନକୁ ଛାଡ଼ି ବାକି ସମସ୍ତ ସାର୍କ ଦେଶ ଅଂଶଗ୍ରହଣ କରିଥିଲେ। ଆମ ଉପରେ ନିର୍ଭର କରୁଥିବା ସମସ୍ତ ସାର୍କ ଦେଶକୁ, ବିଶେଷ କରି ନେପାଳ, ଭୁଟାନ ଓ ବାଂଲାଦେଶକୁ କ୍ଲୋରୋକୁଇନ୍‌ ଯୋଗାଇବୁ ବୋଲି ଭାରତ ପ୍ରତିଶ୍ରୁତି ଦେଇଥିଲା।

ତେବେ ପାକିସ୍ତାନରେ କରୋନା ପରିସ୍ଥିତି ଦିନକୁ ଦିନ ଖରାପ ହେଉଥିବା ବେଳେ ଏହି ଔଷଧ ପାଇଁ ଆଶା ବାନ୍ଧିଛି। ପାକିସ୍ତାନରେ ଏଯାଏଁ ୬,୦୦୦ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୦୭ ଜଣଙ୍କର ମୃତ୍ୟୁ ହେଲାଣି। ପାକିସ୍ତାନର ଦାବି ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ପୂର୍ବରୁ ଆମରିକା ଓ ବ୍ରାଜିଲ୍‌ ଭାରତକୁ ଏହି ଔଷଧ ମାଗି ସାରିଛନ୍ତି। ଆଜି ପାକିସ୍ତାନ ସମେତ ମାଲେସିଆ ଓ ତୁର୍କୀ ମଧ୍ୟ ଭାରତକୁ ଏଥିପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି।

(ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ପାର୍ଶ୍ବ ପ୍ରତିକ୍ରିୟା ରହିଛି। ବିନା ଡାକ୍ତରୀ ପରାମର୍ଶରେ ଏହା ଗ୍ରହଣ ନ କରିବା ଲାଗି ଓଡ଼ିଶା ଲିଙ୍କ ପରାମର୍ଶ ଦେଉଛି।)

Comments are closed.