Odisha Link
Bridging the Missing Links in Odisha

ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀଙ୍କୁ ନେଇ ଏପରି କହିଲେ ଦୂତୀ ଚାନ୍ଦ

"ଯଦି ରୁଦ୍ର ଭାଇ ଏକା ଲଢ଼ି ପାରିଥାଆନ୍ତେ, ତେବେ ପିପିଲିରେ ୧୩ ଜଣ ବିଧାୟକ ଆଉ ସାଂସଦ ତାରକା ପ୍ରଚାରକ ଯାଇ ପହରା ମାରିନଥାନ୍ତେ।"

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ପ୍ରସିଦ୍ଧ ଧାବିକା ଦୂତୀ ଚାନ୍ଦ ଏ ବାବଦରେ ସାମାଜିକ ଗଣମାଧ୍ୟମରେ ମତ ରଖି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସାଧାରରତଃ ରାଜନୀତି ଠାରୁ ଦୂରେଇ ରହୁଥିବା ଦୂତୀ ଫେସବୁକରେ ଜଣେ ବନ୍ଧୁଙ୍କ ମତ ଉପରେ ପ୍ରତିମନ୍ତବ୍ୟ ଦେଇ ଲେଖିଛନ୍ତି- “ତମର କଥାବାର୍ତ୍ତା ଠିକନାହିଁ।” ଦୂତୀଙ୍କୁ ଏ ପ୍ରତିକ୍ରିୟା ନେଇ ଫେସବୁକରେ ବାକ୍‌ ଯୁଦ୍ଧ ଜାରିରହିଛି।

ପିପିଲିରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ। ତାଙ୍କର ଜଣେ ସମର୍ଥକ ମାମୁନି ଦାଶ ନିଜର ଫେସବୁକ୍‌ ଆକାଉଣ୍ଟରେ ଗତକାଲି ଲେଖିଥିଲେ- “ଶହେ ଘୋଡ଼ାକୁ ଶହେ ହାତୀ, ଏକ ଲଢ଼ିବ ରୁଦ୍ର ମହାରଥୀ।” ତେବେ ଦୂତୀଙ୍କର ବନ୍ଧୁ ତାଲିକାରେ ଥିବା ମାମୁନିଙ୍କ ଏହି ପୋଷ୍ଟ ଉପରେ ଜବାବ୍‌ ରଖିଛନ୍ତି ଦୂତୀ।

ଦୂତୀ ପ୍ରଶ୍ନ କରିଛନ୍ତି- “ଯଦି ରୁଦ୍ର ଭାଇ ଏକା ଲଢ଼ି ପାରିଥାଆନ୍ତେ, ତେବେ ପିପିଲିରେ ୧୩ ଜଣ ବିଧାୟକ ଆଉ ସାଂସଦ ତାରକା ପ୍ରଚାରକ ଯାଇ ପହରା ମାରିନଥାନ୍ତେ।” ଦୂତୀ ନିଜର ଏହି ଫେସବୁକ୍‌ ବନ୍ଧୁଙ୍କୁ ନଟିଆ କମେଡିର ଏକ ଜଣାଶୁଣା ସଂଳାପ ଉଦ୍ଧାର କରି ପୁଣି ଲେଖିଛନ୍ତି ଯେ ‘ତମ କଥାବାର୍ତ୍ତା ଠିକନାହିଁ।”

ଅବଶ୍ୟ ଦୂତୀଙ୍କ ଏ ପ୍ରଶ୍ନର ଯବାବ ରଖିଛନ୍ତି ମାମୁନି ଓ ତାଙ୍କର ଅନ୍ୟ ବନ୍ଧୁ। ମାମୁନି ଲେଖିଛନ୍ତି- କେବଳ ରୁଦ୍ରଙ୍କ ପାଇଁ ନୁହେଁ, ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାରକ ଆସିଥାଆନ୍ତି। ସେହିପରି ଅନ୍ୟଜଣେ ବନ୍ଧୁ ଲେଖିଛନ୍ତି- ଆମେ କ’ଣ ନଟିଆ ଯେ ଆମର କଥାବାର୍ତ୍ତା ଠିକନାହିଁ।

ଦୂତୀ ଜଣେ ଜଣାଶୁଣା କ୍ରୀଡ଼ାବିତ ହୋଇଥିବା ବେଳେ ତାଙ୍କର ସାମାଜିକ ଗଣମାଧ୍ୟମରେ ବହୁ ପ୍ରଶଂସକ ଅଛନ୍ତି। ତେବେ ରାଜନୈତିକ ପ୍ରସଙ୍ଗରେ ତାଙ୍କର ଏଭଳି ମନ୍ତବ୍ୟ ହାଲକା ମଉଜ ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ତାହା ବୁଝାପଡ଼ୁନାହିଁ।

Leave A Reply

Your email address will not be published.