Odisha Link
Bridging the Missing Links in Odisha

ପିପିଲି: ମୃତ ଅଜିତଙ୍କ ପତ୍ନୀ ହେବେ କଂଗ୍ରେସ ପ୍ରାର୍ଥୀ!

ପିପିଲିରେ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଛି। ମେ ୧୩ ତାରିଖରେ ଏଠାରେ ଭୋଟ ଗ୍ରହଣ ହେବ ବୋଲି ନିର୍ବାଚନ କମିଶନ୍‌ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ସେ ନେଇ ଚାଲିଛି ଅଙ୍କକଷା। ଉପ-ନିର୍ବାଚନ ଅବ୍ୟବହିତ ପୂର୍ବରୁ ମୃତ୍ୟୁବରଣ କରିଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି।

ଏପ୍ରିଲ ୧୭ ତାରିଖରେ ପିପିଲିରେ ଉପନିର୍ବାଚନ ହେବା ନେଇ ପୂର୍ବରୁ ସ୍ଥିର ହୋଇଥିବା ବେଳେଏହାର ଦୁଇଦିନ ପୂର୍ବରୁ ଏପ୍ରିଲ ୧୫ରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଦେହାନ୍ତ ହୋଇଥିଲା। ଫଳରେ ନିର୍ବାଚନ ସ୍ଥଗିତ କରିଥିଲେ ନିର୍ବାଚନ ଆୟୋଗ। ଗତକାଲି ପିପିଲିରେ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଛି। ମେ ୧୩ ତାରିଖରେ ଏଠାରେ ଭୋଟ ଗ୍ରହଣ ହେବ ବୋଲି ନିର୍ବାଚନ କମିଶନ୍‌ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଅନ୍ୟପଟେ ଅଜିତଙ୍କ ମୃତ୍ୟୁପରେ ଦଳର ଜାତୀୟ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ଫୋନ୍‌ ଯୋଗେ ଅଜିତଙ୍କ ପତ୍ନୀ ବନ୍ଦନାଙ୍କ ସହ କଥା ହୋଇଥିଲେ। ପିପିଲି ଓ ଡେଲାଙ୍ଗବାସୀ ବନ୍ଦନାଙ୍କ ପ୍ରାର୍ଥୀ ଭାବେ ଦେଖିବାକୁ ଚାହାନ୍ତି ବୋଲି ଦଳର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପିପିଲିରେ ଅନୁକମ୍ପା ରାଜନୀତି ଯୋର ହେବ। ପୂର୍ବରୁ ଦିବଙ୍ଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଏବେ କଂଗ୍ରେସ ଅଜିତଙ୍କ ପତ୍ନୀ ବନ୍ଦନାଙ୍କୁ ପ୍ରାର୍ଥୀ କରିବା ନେଇ ଆପାତତଃ ସ୍ଥିର କରିଛି। ତେବେ ବନ୍ଦନା ଯଦି ଏ ପ୍ରସ୍ତାବରେ ରାଜି ହୁଅନ୍ତି ତେବେ ତାଙ୍କୁ ପ୍ରାର୍ଥୀ କରାଯିବା ଏକପ୍ରକାର ନିଶ୍ଚିତ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ପିପିଲିରେ ପ୍ରାର୍ଥୀ କିଏ ହେବ ସେ ନେଇ ଏଆଇସିସି ସିଧାସଳଖ ନିଷ୍ପତ୍ତି ନେଉଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ବର୍ତ୍ତମାନ ଅସୁସ୍ଥ ଅଛନ୍ତି ଓ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.