ଶନିବାର ଓ ରବିବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ଟିକାକରଣ। ଶନି ଓ ରବିବାର ସଟ୍ଡାଉନ୍ ଥିବାରୁ ସପ୍ତାହରେ ୫ ଦିନ ଟିକାକରଣ କରାଯିବ। ଏହି ସମୟରେ ଟିକାକରଣ କେନ୍ଦ୍ରକୁ ସାନିଟାଇଜ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଟିକାକୁ ସମ୍ପର୍କରେ ବିଜୟ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷ ୪୧ ହଜାର ୪୭୮ ଜଣଙ୍କୁ ଟିକାକରଣ କରାଯାଇଛି। ଆଜି ୭ ଶହ କେନ୍ଦ୍ରରେ ଟିକାକରଣ ଚାଲିଛି। ମେ’ ୧ରୁ ଘରୋଇ ହସ୍ପିଟାଲ ଗୁଡିକ କମ୍ପାନୀଠାରୁ ସିଧାସଳଖ ଟିକା ଆଣିବେ। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଟିକାର ଦର ଧାର୍ଯ୍ୟ ହେବ। ରେଜିଷ୍ଟ୍ରେସନ ବେଳେ ଆପ୍ରେ ଟିକାର ମୂଲ୍ୟ ଦେଖିହେବ
ଆଜି ସୁଦ୍ଧା ଟିକା ନେଇଥିବା ୫୪ ଲକ୍ଷ ୪୧ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ବ୍ୟକ୍ତି ଭ୍ୟାକ୍ସିନ୍ ନେବା ପରେ ସଂକ୍ରମିତ ହୋଇଛନ୍ତି। ତେବେ ଦ୍ୱିତୀୟ ଡୋଜ୍ ପରେ ବିଶେଷ କେହି ସଂକ୍ରମିତ ହୋଇନଥିବା ବିଜୟ ପାଣିଗ୍ରାହୀ କହିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଆରମ୍ଭ ହେବ। ଶନିବାର ଓ ରବିବାର ଏହି ସପ୍ତାହାନ୍ତ ସଟ୍ଡାଉନ୍ ବେଳେ ସକାଳେ ଘଣ୍ଟାଏ ପାଇଁ କଟକଣା କୋହଳ କରାଯିବ। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।