ବେଙ୍ଗଲ ହିଂସା: ଭାଇରାଲ୍ ହେଉଛି ଭଦ୍ରକ ଭିଡିଓ
ଭୁବନେଶ୍ବର: ଓଡ଼ିଶାର ଭଦ୍ରକରେ ଉତ୍ତୋଳିତ ଗୋଟିଏ ଭିଡିଓକୁ ପଶ୍ଚିମବଙ୍ଗରେ ହିଂସା ବେଳର ଭିଡିଓ ବୋଲି କହି ପ୍ରଚାର କରାଯାଉଛି। ଆଉଗୋଟିଏ ମିଛ ଭିଡିଓରେ ‘ଖେଳା ହେବୋ’ ଗୀତ ତାଳେତାଳେ ଟିଏମ୍ସି କର୍ମୀ ହାତରେ ଖଣ୍ଡା ତଲଓ୍ବାର ଧରି ନାଚୁଛନ୍ତି ବୋଲି ପ୍ରଚାର କରାଯାଉଛି। ଏଭଳି ଅନେକ ମିଛ ଭିଡିଓ ସାମାଜିକ ଗଣମାଧ୍ୟମରେ ବୁଲୁଥିବା ବେଳେ କେଉଁଟି ସତ ଓ କେଉଁଟି ମିଛ ଜାଣିବା କାଠିକର ହୋଇପଡ଼ିଛି।
ମେ ୨ ତାରିଖରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ରାଜ୍ୟରେ ନିର୍ବାଚନୀ ହିଂସା ବଢ଼ିବଢ଼ି ଚାଲିଛି। ସବୁ ଦଳ ପକ୍ଷରୁ ଏଭଳି ହିଂସାକୁ ନିନ୍ଦା କରାଯାଇଥିବା ବେଳେ ହିଂସା ପାଇଁ ଉଭୟ ଟିଏମ୍ସି ଓ ବିଜେପି ପରସ୍ପରକୁ ଦାୟୀ କରୁଛନ୍ତି। ଏଯାବତ୍ ମୋଟ ୧୪ ଜଣଙ୍କର ହିଂସାଜନିତ ମୃତ୍ୟୁ ହୋଇଥିବା ବେଳେ ବିଜେପିର ୯ ଜଣ ଓ ଟିଏମ୍ସିର ୪ ଜଣ ପ୍ରାଣ ହରାଇଥିବା ସଂପୃକ୍ତ ଦଳ ପକ୍ଷରୁ ଦାବି ହୋଇଛି।
ଆଜତକ୍ ସାମ୍ବାଦିକ କମଳେଶ ସିଂହ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ଛାଡ଼ିଥିଲେ ଯେଉଁଥିରେ ଟିଏମ୍ସିର ହିଂସାତ୍ମକ ବିଜୟ ଶୋଭାଯାତ୍ରାରେ ପୁଲିସ ସାମିଲ ହୋଇଥିବା ସେ ଉଲ୍ଲେଖ କରିଥିଲେ। ଅବଶ୍ୟ ସମାଲୋଚନା ହେବାରୁ ସେ ପରେ ଭିଡିଓଟିକୁ ହଟାଇ ଦେଇଥିଲେ। ଏ ଭିଡିଓଟି ଭାଇରାଲ୍ ହେଉଥିବା ବେଳେ ଏହା ପଶ୍ଚିମବଙ୍ଗର ନୁହେଁ ବୋଲି ଜଣାପଡ଼ିଛି। ଭିଡିଓଟି ଓଡ଼ିଶାର ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅଲିନଗର ଛକରେ ୨୦୨୧ ମସିହା ଜାନୁଆରୀ ୧୩ରେ ଉତ୍ତୋଳିତ ହୋଇଥିବା ସ୍ପଷ୍ଟ ହୋଇଛି।
ପୁଲିସ ଭୟରେ ଜଣେ ୨୨ ବର୍ଷର ଯୁବକର ମୃତ୍ୟୁ ପରେ ଭଦ୍ରକ ଜିଲ୍ଲା ତିହିଡ଼ିରେ ସ୍ଥାନୀୟ ଲୋକେ ପୁଲିସ ଗାଡ଼ି ଜାଳିଦେଇଥିଲେ। ସେ ସମୟରେ ପୀରହାଟ ପୁଲିସ ଗାଡ଼ି ସେ ବାଟ ଦେଇ ଯାଉଥିବା ବେଳେ ଲୋକେ ତାକୁ ମଧ୍ୟ ଆକ୍ରମଣ କରିଥିଲେ। ଏ ଭିଡିଓକୁ ବେଙ୍ଗଲ ହିଂସା ବୋଲି ପ୍ରଚାର କରାଯାଉଛି।
ସେହିଭଳି ଖେଲା ହୋବେ ବୋଲି ଗୀତରେ ହାତରେ ଅସ୍ତ୍ରଶସ୍ତ୍ର ଧରି ଟିଏମ୍ସି କର୍ମୀ ନାଚୁଥିାର ଯେଉଁ ଭିଡିଓ ବିତରିତ ହେଉଛି ତାହା ଅସଲରେ ଅକ୍ଟୋବର ୭, ୨୦୨୦ରେ ୟୁଟ୍ୟୁବ୍ରେ ଛଡ଼ାଯାଇଥିବା ଏକ ଭିନ୍ନ ଭିଡିଓ। ଏଥିରେ ଖେଲା ହୋବେ ଅଡିଓ ଯୋଡ଼ି ଏହାକୁ ବେଙ୍ଗଲ ହିଂସା ବୋଲି ପ୍ରଚାର ପାଇଁ ଉଦ୍ୟମ ହେଉଛି। ବିଜେପିର ବହୁ ତୁଙ୍ଗ ନେତା ମଧ୍ୟ ଏହାକୁ ଟିଏମ୍ସି କର୍ମୀଙ୍କ ଭିଡିଓ କହି ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି।