ସାମ୍ବାଦିକଙ୍କୁ ମୃତ କର୍ମକର୍ତ୍ତା ଦର୍ଶାଇ ଅଡ଼ୁଆରେ ବିଜେପି ଆଇଟି ସେଲ୍
ବ୍ୟୁରୋ: ସେ ଜଣେ ସାମ୍ବାଦିକ। ସେ ବଞ୍ଚିଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ବିଜେପି ଆିଟି ସେଲ୍ ତାଙ୍କୁ ନିଜର କର୍ମକର୍ତ୍ତା ବୋଲି ଦର୍ଶାଇବା ସହ ମୃତ ବୋଲି ଘୋଷଣା କରିଛି। ଟିଏମ୍ସି କର୍ମୀଙ୍କ ହାତରେ ସେ ପ୍ରାଣ ହରାଇତିବା ଦର୍ଶାଇ ଏକ ଭିଡିଓ ଛାଡ଼ିଟି ଆଇଟି ସେଲ୍। ଏ ମିଛ ଧରାପଡ଼ିବା ପରେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଛି ବିଜେପି। ପରେ ଆଇଠି ସେଲ୍ ଭିଡିଓଟିକୁ କାଢ଼ି ନେଇଛନ୍ତି।
ଶୀତଲକୁଚିର ମାଣିକ ମୈତ୍ର ନାମକ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗତକାଲି ପଶ୍ଚିମବଙ୍ଗ ବିଜେପି ଆଇଟି ସେଲ୍ ପକ୍ଷରୁ ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା। ଭିଡିଓଟି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହେବା ପରେ ଆଜତକ୍ର ସାମ୍ବାଦିକ ଅଭ୍ର ବାନାର୍ଜୀ ସାମନାକୁ ଆସିଥିଲେ। ଭିଡିଓରେ ବ୍ୟବହୃତ ବ୍ୟକ୍ତିଙ୍କ ଫଟୋ ମାଣିକଙ୍କର ନୁହେଁ ବରଂ ଅଭ୍ରଙ୍କର ଥିଲା।
ଏ ନେଇ ଅଭ୍ର ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି। ସେ ବଞ୍ଚିଛନ୍ତି ଓ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଜଣାଇଛନ୍ତି ଅଭ୍ର। ବିଜେପିର ଭିଡିଓ ସେୟାର କରି ଅଭ୍ର ଲେଖିଛନ୍ତି,
ମୁଁ ଅଭ୍ର ବାନାର୍ଜୀ, ଶୀତଲକୁଚିରୁ ପ୍ରାୟ ୧,୩୦୦ କିଲୋମିଟର ଦୂରରେ ରହେ। ଏବେ ବିଜେପି ଆଇଟି ସେଲ୍ ଦାବି କରୁଛି ଯେ ମୁଁ ମାଣିକ ମୈତ୍ର ଓ ଶୀତଲକୁଚିରେ ମୋର ମୃତ୍ୟୁ ହୋଇଛି। ଏଭଳି ମିଛ ପୋଷ୍ଟକୁ ବିଶ୍ବାସ କରନ୍ତୁନାହିଁ ଅଥବା ମୋ ପାଇଁ ବ୍ୟସ୍ତ ହୁଅନ୍ତୁନାହିଁ। ମୁଁ ପୁଣିଥରେ କହିରଖୁଛି: ମୁଁ ଏବେ ବି ବଞ୍ଚିଛି।
I am Abhro Banerjee, living and hale and hearty and around 1,300 km away from Sitalkuchi. BJP IT Cell is now claiming I am Manik Moitra and died in Sitalkuchi. Please don't believe these fake posts and please don't worry. I repeat: I am (still) alivehttps://t.co/y4jKsfx8tI pic.twitter.com/P2cXJFP5KO
— Abhro Banerjee (@AbhroBanerjee1) May 6, 2021
ଇଣ୍ଡିଆ ଟୁଡେର ଏକ ଷ୍ଟୁଡିଓ ଆଲୋଚନାରେ ଭାଗନେଇ ଅଭ୍ର କହିଛନ୍ତି ଯେ ପୂର୍ବଦିନ ତାଙ୍କର ରାତ୍ରିକାଳୀନ ଡ୍ୟୁଟି ଥିଲା। ସେ ବିଳମ୍ବରେ ଉଠିଲେ। ଉଠିବା ବେଳକୁ ବହୁ ଫୋନ୍ ଓ ମେସେଜ୍ ଆସିଥିଲା। ସାଙ୍ଗମାନଙ୍କ ମଧ୍ୟରେ ଉଭୟ ଟିଏମ୍ସି ଓ ବିଜେପିର କିଛି ସମର୍ଥକ ବି ଥିଲେ। ଅଭ୍ରଙ୍କୁ ସେମାନେ ଭିଡିଓଟି ପଠାଇବା ସହ ତାଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ। ପରେ ଏ ନେଇ ସାମାଜିକ ଗଣମାଧ୍ୟମକୁ ଆସିଥିଲେ ଅଭ୍ର।
ସମାନ ଆଲୋଚନାରେ ଭାଗନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଦଳର ଏ ତ୍ରୁଟିକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି। ଫଟୋ ଭୁଲ ବସିଥିଲେ ବି ଟିଏମ୍ସି କର୍ମୀଙ୍କ ଦ୍ବାରା ମାଣିକ ମୈତ୍ରଙ୍କର ମୃତ୍ୟୁ ଖବର ସତ ଓ ନିଜେ ଅଭ୍ର ଏ ଖବର କରିଛନ୍ତି ବୋଲି ପାଲଟା ଯୁକ୍ତି ବାଢ଼ି ଆଇଟି ସେଲ୍ର ଏ ମିଛ ପ୍ରଚାରକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରିଛନ୍ତି ସମ୍ବିତ।
ଅଭ୍ରୋ ପୁଣି ଲେଖିଛନ୍ତି,
ନିର୍ବାଚନ ପରବର୍ତ୍ତୀ ଦଙ୍ଗାରେ ମରିଥିବା ଲୋକ ବାବଦରେ ନହୋଇ ହତ୍ୟା, ଧର୍ଷଣ ବା ଭଳି ଯଦି କୌଣସି ଅପରାଧୀ ବିଷୟରେ ଏ ଭିଡିଓ ହୋଇଥାଆନ୍ତ, ଭାବନ୍ତୁ, ଏହା ମୋର କି କ୍ଷତି କରିଥାଆନ୍ତା!
What if-what if this video was not about a person, who has allegedly died of post-poll violence, but about someone, who is accused in a murder or for that matter, a rape. Imagine, what kind of irreversible damage it would've done.https://t.co/U4ARk8fJRz
— Abhro Banerjee (@AbhroBanerjee1) May 6, 2021
ମେ’ ୨ ତାରିଖରେ ବଙ୍ଗଳାରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଂସା ଦେଖିବାକୁ ମିଳିଛି। ଅପର ଦଳର କର୍ମୀ ଆମ ଦଳର କର୍ମୀଙ୍କୁ ହତ୍ୟା ଓ ଆକ୍ରମଣ କରୁଛନ୍ତି ବୋଲି ଉଭୟ ବିଜେପି ଓ ଟିଏମ୍ସି ଦାବି କରିଛି। ତେବେ ବିଜେପି ଦ୍ବାରା ପ୍ରସାରିତ କିଛି ଚିତ୍ର, ଭିଡିଓ ଓ ପୋଷ୍ଟକୁ ମିଛ ବୋଲି ଘୋଷଣା କରିଛି ପଶ୍ଚିମବଙ୍ଗ ପୁଲିସ।