Odisha Link
Bridging the Missing Links in Odisha

ଦେଶର ପ୍ରଥମ ମୁସଲିମ ମହିଳା ଭାବେ ସାନିଆ ମିର୍ଜା ଚଳାଇବେ ଯୁଦ୍ଧ ବିମାନ

ସାନିଆ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ୧୪୯ତମ ରାଙ୍କ ହାସଲ କରିଥିବାବେଳେ ସେ ୟୁପିର ପ୍ରଥମ ମହିଳା ଫାଇଟର ପାଇଲଟ୍ ହେବେ

ଓଏଲ୍‌ ବ୍ୟୁରୋ : ଦେଶରେ ପ୍ରଥମ ମୁସଲିମ ମହିଳା ଫାଇଟର ପାଇଲଟ ଭାବେ ଇତିହାସ ରଚିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ସାନିଆ ମିର୍ଜା। ଉତ୍ତରପ୍ରଦେଶର ସାନିଆ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ୧୪୯ତମ ରାଙ୍କ ହାସଲ କରିଥିବାବେଳେ ସେ ୟୁପିର ପ୍ରଥମ ମହିଳା ଫାଇଟର ପାଇଲଟ୍ ହେବେ । ୨୭ ଡିସେମ୍ୱରରୁ ପୁଣେରେ ସେ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ। ସେହିପରି ରାଜ୍ୟର ପ୍ରଥମ ମହିଳା ଭାବେ ସାନିଆ ମିର୍ଜା ଫାଇଟର ଜେଟ୍‌ ଚଳାଇ ରେକର୍ଡ ସୃଷ୍ଟି କରିବେ ବୋଲି ସୂଚନା ମିଳିଛି।

ସାଧାରଣ ପରିବାରରୁ ସାନିଆ ହୋଇଥିବାବେଳେ ସାନିଆଙ୍କ ବାପା ଜଣେ ଟିଭି ମେକାନିକ। ମିର୍ଜାପୁର ଦେହାତ କୋଟୱାଲି ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଥିବା ଜାସୋବର ଗାଁରେ ପୂରା ପରିବାର ଲୋକଙ୍କ ସହ ରୁହନ୍ତି ସାନିଆ। ସେ ଏନଡିଏ ପରୀକ୍ଷାରେ ସଫଳତା ହାସଲ କରି ଯୁଦ୍ଧ ବିମାନର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିବା ସହ ନିଜ ଜିଲ୍ଲା ସହ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ହିନ୍ଦୀ ମିଡିୟମ ସ୍କୁଲରେ ପଢ଼ୁଥିବା ସାନିଆ ମିର୍ଜା କହିଛନ୍ତି, ଯଦି ଇଚ୍ଛାଶକ୍ତି ଓ ନିଜ ଲକ୍ଷ୍ୟ ପ୍ରତି ଜଣେ ପ୍ରତିଶ୍ରୁତିବଦ୍ଧ ରହିଛି, ତା’ହେଲେ ହିନ୍ଦୀ ମିଡିୟମ ପିଲା ମଧ୍ୟ ସଫଳତା ହାସଲ କରିପାରିବେ। ସାନିଆ ମିର୍ଜା ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ଗାଁରେ ଥିବା ପଣ୍ଡିତ ଚିନ୍ତାମଣି ଦୁବେ ଇଣ୍ଟର କଲେଜରେ ପାଠ ପଢ଼ିଥିଲେ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ରାଜ୍ୟ ଟପ୍ପର ହୋଇଥିଲେ। ପରେ ସେ ସେଞ୍ଚୁରିଅନ ଡିଫେନ୍ସ ଏକାଡେମୀରେ ଫାଇଟର ପାଇଲଟ ହେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ସାନିଆ ଏହି ସଫଳତା ପାଇଁ ସବୁ ଶ୍ରେୟ ତାଙ୍କ ବାପା ମା’ ଓ ସେଞ୍ଚୁରିଅନ ଡିଫେନ୍ସ ଏକାଡେମୀକୁ ଦେଇଛନ୍ତି। ୨୦୨୨ ଜାତୀୟ ପ୍ରତିରକ୍ଷା ଏକାଡେମୀ ପରୀକ୍ଷାରେ ମାତ୍ର ୨ଟି ପଦ ମହିଳା ଫାଇଟର ପାଇଲଟ ପାଇଁ ରହିଥିଲା। ପ୍ରଥମ ପ୍ରୟାସରେ ସାନିଆ ସିଟ୍‌କୁ ଦଖଲ କରିପାରି ନଥିଲେ। କିନ୍ତୁ ଦ୍ୱିତୀୟ ଉଦ୍ୟମରେ ସେ ସଫଳତା ପାଇବା ସହ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସାନିଆଙ୍କ ସଫଳତାରେ ତାଙ୍କ ପରିବାର ଲୋକଙ୍କ ସହ ଗ୍ରାମବାସୀ ମାନେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.