ଡିଜେ ଆଜେକ୍ସ ମୃତ୍ୟୁ ମାମଲା: ବାନ୍ଧବୀଙ୍କୁ ନେଇ ବଢ଼ିଲା ସନ୍ଦେହ
୧୬୧ ଧାରାରେ ବାନ୍ଧବୀଙ୍କର ବୟାନ ରେକର୍ଡ ହୋଇଥିଲା।

ଓଏଲ୍ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ହତ୍ୟା ମାମଲାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ଏହି ଘଟଣା ଆଉ ଏକ ନୂତନ ମୋଡ଼ ନେଇଛି। ଆଜେକ୍ସ ଆତ୍ମହତ୍ୟା ପଛରେ ବ୍ରେକଅପ କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଆଜେକ୍ସ ସହ ବାନ୍ଧବୀ ଜିଜ୍ଞାସାର ବ୍ରେକଅପ ହୋଇଯାଇଥିଲା। ତେବେ ଆଜେକ୍ସଙ୍କ ମୃତ୍ୟୁ ମାମଲାକୁ ନେଇ ପୂର୍ବରୁ ଖାରବେଳନଗର ଥାନାରେ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଖାରବେଳନଗର ଥାନାର ସ୍ୱତନ୍ତ୍ର ଟିମ୍ ଦ୍ୱାରା ପଚରାଉଚରା କରାଯାଇଥିଲା। ୧୬୧ ଧାରାରେ ବାନ୍ଧବୀଙ୍କର ବୟାନ ରେକର୍ଡ ହୋଇଥିଲା।
ସୂଚନା ଅନୁସାରେ, ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ପୂର୍ବରୁ ଆଉ ଏକ ତଥ୍ୟ ସାମ୍ନାକୁ ଆସିଥିଲା। ପ୍ରେମିକାଙ୍କ ବାର୍ଥ ଡେ’ ରାତିରେ ସୁଟ୍ ହୋଇଥିଲା ଅନସିନ୍ ଭିଡିଓ। ରାଜଧାନୀର ୟୁନିଟ-୩ ଅଞ୍ଚଳରେ ଥିବା ଏକ ଓୟୋରେ ହୋଇଥିଲା ବାର୍ଥ ଡେ’ ସେଲିବ୍ରେସନ। ଫେବ୍ରୁଆରୀ ୨୮ ତାରିଖରେ ସେଲିବ୍ରେସନ ବେଳେ ସୁଟ ହୋଇଥିଲା ଭିଡିଓ। ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣକ ବ୍ଲାକମେଲ କରୁଥିବା ସନ୍ଦେହ କରାଯାଉଛି। ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଥିଲା ପୁଲିସ। ବାନ୍ଧବୀ ସନ୍ଦେହ ଘେରରେ ଥିବାବେଳେ ବୟାନ ରେକର୍ଡ କରିଥିଲା ପୁଲିସ।
ଅନ୍ୟପକ୍ଷେ, ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିଥିବା ଜଣା ପଡିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ବେକରେ ରହିଛି ଦାଗ, ଅନ୍ୟ ସ୍ଥାନରେ ଚିହ୍ନ ନଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ କୁହାଯାଉଛି। ହେଲେ ପରିବାର ଲୋକେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପ୍ରେମିକାଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି। ବାନ୍ଧବୀ ଓ ତାଙ୍କ ପ୍ରେମିକା ତାଙ୍କୁ ବ୍ଲାକମେଲ୍ କରୁଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ଥାନାରେ ଅଭିଯୋଗ କରିଥିଲେ।