Odisha Link
Bridging the Missing Links in Odisha

ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିବସରେ ‘ସୌମ୍ୟ ସୌରଭ’ ଉନ୍ମୋଚିତ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିର ପରିଚିତ ନାମ, ସମ୍ପାଦକ, ବାଗ୍ମୀ ତଥା ଅନେକ ସାମାଜିକ ଆନ୍ଦୋଳନର ପୁରୋଧା ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଜି ୭୨ତମ ଜନ୍ମ ଦିବସ। ଏହି ଅବସରରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ଜୟଦେବ ଭବନରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଜନ୍ମ ଦିବସ ଅବସରରେ ଆଜି ‘ପେନ୍‌ ଇନ୍‌ ବୁକ୍ସ’ ପ୍ରକାଶନୀ ସଂସ୍ଥା ପକ୍ଷରୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବା ଶୁଭେଚ୍ଛୁ, ସହକର୍ମୀ, ବନ୍ଧୁ ଏବଂ ସମସାମୟିକ ବୁଦ୍ଧିଜୀବୀ ମାନେ ରଚନା କରିଥିବା ଲେଖା ଗୁଡ଼ିକର ସଂକଳନ “ସୌମ୍ୟ ସୌରଭ” ଉନ୍ମୋଚିତ ହୋଇଯାଇଛି। ‘ସୌମ୍ୟ ସୌରଭ’ ଉନ୍ମୋଚନ ଉତ୍ସବ ଅବସରରେ ଉପସ୍ଥିତ ଅତିଥିମାନେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରିବା ସହ ଏଭଳି କିଛି ଆଶୀର୍ବଚନ ପ୍ରଦାନ କରିଥିଲେ।

ସୌମ୍ୟ ସୌରଭ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ଆଜିର ସଭାରେ ମୁଁ ସାମାନ୍ୟ ଅଡୁଆ ଅନୁଭବ କରୁଚି। କାରଣ ମୋ ପାଇଁ ଏହା ଏକ ସାଧାରଣ ସଭା ନୁହେଁ। ପୂର୍ବରୁ ମୋ ଜନ୍ମଦିନରେ ଏମିତି ସଭାରେ କେବେ ଯୋଗ ଦେଇନାହିଁ। କିନ୍ତୁ ଯଦି ମଞ୍ଚ ଉପରୁ ତଳକୁ ଦେଖିୁଚି ତେବେ ମତେ ଲାଗୁଚି ଏହା ଆମ ବୁଦ୍ଧିଜୀବୀ ମହଲର ଏକ ସଭା ଯେମିତି। ସମସ୍ତଙ୍କୁ ଅନ୍ତରରୁ ଧନ୍ୟବାଦ୍ ଯେଉଁମାନେ ମୋ ସହ କଲେଜ୍, ବ୍ରୁତ୍ତିଗତ ଏବଂ ରାଜନୈତିକ ଜୀବନସହ ଏ ପର୍ଯ୍ୟନ୍ତ ଯୋଡି ହୋଇରହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆପଣମାନେ ମତେ ୧୦୦ ବର୍ଷ ବଞ୍ଚିବା ପାଇଁ ଆର୍ଶୀବାଦ ଦେଇଛନ୍ତି। ହେଲେ ମୁଁ ୧୦୦ ବର୍ଷ ବଞ୍ଚିବା ସପକ୍ଷରେ ନାହିଁ। ୧୦୦ ବର୍ଷ ବଞ୍ଚି କ’ଣ କରିବି? ୭୦ବର୍ଷ ଭିତରେ ଯାହା କରିଚି ସେସବୁକୁ ନିଜେ ଚିନ୍ତା କରିନି। ନିଜ ବିଷୟରେ ଅନାସକ୍ତ ଆକଳନ କରିବା ସହଜ ନୁହେଁ। ମୁଁ ଯାହା କରିବାକୁ ଚାହିଁଚି ସଫଳ ହୋଇଛି। ଯେଉଁଠି ଅମାନ୍ୟ କରିଛି ବିଫଳ ହୋଇଛି। ନିଜ ଇଚ୍ଛା ବିରୁଦ୍ଧରେ ଅନେକ କାର୍ଯ୍ୟ କରିବାକୁ ପଡେ। ମୋର ବନ୍ଧୁ,ପରିବାର, ମୋ ସାଙ୍ଗସାଥୀ ମୋ ମନକଥା ବୁଝି ପାରନ୍ତିନି। ଏହା ହିଁ ମୋ ଜୀବନର ବଡ ଦୁଃଖ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ବିଶିଷ୍ଟ ଅତିଥି ଭାବେ ବରିଷ୍ଠ କଥାଶିଳ୍ପୀ ଅଚ୍ୟୁତାନନ୍ଦ ପତି ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମ ଦିନରେ ଆଶୀର୍ବାଦ ଦେବା ସହ ‘ପୁଅ’ ବୋଲି ସମ୍ବୋଧନ କରି କହିଲେ, ବାପା ସବୁବେଳେ ପୁଅଠାରୁ ହାରିବା ପାଇଁ ଅଧିକ ଖୁସି ହୁଏ। ଏହା ଏକମାତ୍ର ପରାଜୟ, ଯେଉଁଥିରେ ଅଧିକ ଆନନ୍ଦ ମିଳିଥା‌ଏ। ପ୍ରତିକୂଳ ପରିସ୍ଥିତିରେ ମଣିଷ ହେବା ସହ ଅନୁକୂଳ ପରିବେଶରେ ଭଦ୍ରଲୋକ ହେବା ପାଇଁ ସେ ପରାମର୍ଶ ଦେଇଥିଲେ।

ସେହିପରି ବିଶିଷ୍ଟ କଥାଶିଳ୍ପୀ ତଥା ଉନ୍ମୋଚିତ ପୁସ୍ତକ ‘ସୌମ୍ୟ ସୌରଭ’ର ସମ୍ପାଦକ ଦାଶ ବେନହୁର ‌ଶ୍ରୀ ପଟ୍ଟନାୟକଙ୍କ ସହ ତାଙ୍କର ଦୀର୍ଘକାଳ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେ କହିଲେ, ଓଡ଼ିଶାରେ ଯୁବପିଢ଼ିଙ୍କ ପାଇଁ ସୌମ୍ୟରଂଜନ ଆଦର୍ଶ ପୁରୁଷ। ସେ ଇଚ୍ଛାମୟ ବ୍ୟକ୍ତିତ୍ବ। ସେ ପିଲାବେଳୁ ଯାହା ଇଚ୍ଛା କରିଛନ୍ତି, ତାହା କରିବାରେ ସଫଳ ହୋଇଛନ୍ତି। ଲଢ଼ିବାର ମନବଳ ଏବଂ ନୂଆ କରିବାର ମନୋଭାବ ତାଙ୍କର ଆରମ୍ଭରୁ ରହି ଆସିଛି। ତାଙ୍କ ଭଳି ଲଢ଼ିବାର ମନୋଭାବ ରଖିଥିବା ବ୍ୟକ୍ତିତ୍ବ ଚଉକି ପକାଇ ସ୍ଥିର ହୋଇ ବସିପାରିବେ ନାହିଁ।

ଅବସରପ୍ରାପ୍ତ ନ୍ୟାୟାଧୀଶ ବିମଳ ପ୍ରସାଦ ଦାସ କହିଥିଲେ, ଓଡ଼ିଶା ପ୍ରତି ସୌମ୍ୟଙ୍କର ଆନ୍ତରିକତା ଓ ଭଲ ପାଇବା ତାଙ୍କୁ ବିଲାତରୁ ଓଡ଼ିଶାକୁ ଟାଣି ଆଣିଥିଲା। ଓଡ଼ିଶା ଜନମାନସରେ ସେ ଜଣେ ବିରଳ ପ୍ରତିଭା ବୋଲି କହିଥିଲେ। ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସ ଆହ୍ବାନ ଦେଇ କହିଥିଲେ, ବର୍ତ୍ତମାନ ସମୟରେ ଓଡ଼ିଶାର ସବୁଠାରୁ ପ୍ରତିଭାଶାଳୀ ବ୍ୟକ୍ତିତ୍ବ ହେଉଛନ୍ତି ସୌମ୍ୟରଂଜନ। ତେଣୁ ଦ୍ବନ୍ଦ୍ବରେ ନରହି ସମାଜକୁ ନେତୃତ୍ବ ଦେବା ପାଇଁ ସୌମ୍ୟ ନାଗରିକ ସମାଜର ନେତୃତ୍ବ ନିଅନ୍ତୁ।

ବିଶିଷ୍ଟ ସ୍ତମ୍ବକାର ଭଗବାନ ପ୍ରକାଶ, ‘ସମ୍ବାଦ’ ସଫଳ ହେବାର ରହସ୍ୟ ସମ୍ପର୍କରେ କହିଥିଲେ, ସୌମ୍ୟ ଜଣେ ରୋଲ୍‌ ମଡେଲ୍‌। ତାଙ୍କର ଦିଗ୍‌ଦର୍ଶନରେ ‘ସମ୍ବାଦ’ ସାମାଜିକ ରୂପ ନେଇଛି। ସେହିପରି ବିଶିଷ୍ଟ ଔପନ୍ୟାସିକ ରାମ‌ଚନ୍ଦ୍ର ବେହେରା କହିଲେ, ‌ସୌମ୍ୟବାବୁ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ବ। ସେ ଧୂଳିକଣା ଠାରୁ ଅନ୍ତରିକ୍ଷ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଗତାନୁଗତିକ ଧାରାଠାରୁ ସେ ଊର୍ଦ୍ଧ୍ବରେ। ଜଣେ ପାଠକର କଥାକୁ ଗ୍ରହଣ କରିବାରେ ସେ ଜଣେ ପ୍ରିୟ ସମ୍ପାଦକ।

ପେନ୍‌ ଇନ୍‌ ବୁକ୍ସ ପ୍ରକାଶନୀ ସଂସ୍ଥାର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷମାନେ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।

Leave A Reply

Your email address will not be published.