Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ: ବିଜେଡି ଟିକେଟ୍‌ ଦୌଡରେ ବରିହା ପରିବାର ଓ ପ୍ରଶାସନିକ ଅଧିକାରୀ

ଓଏଲ୍‌ ବ୍ୟୁରୋ: ଧାମନଗର ଫଳାଫଳ ପରେ ଏବେ ପଦ୍ମପୁର ଫାଇଟ୍‌ ଉପରେ ସମସ୍ତଙ୍କ ନଜର। ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଲେଣି ଅଙ୍କକଷା। ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତିନି ଦଳ କେଉଁ ପ୍ରାର୍ଥୀକୁ ଟିକେଟ୍‌ ଦେବେ ସେ ନେଇ ଆରମ୍ଭ ହୋଇଛି ମାନସମନ୍ଥନ।

ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ନଭେମ୍ବର ୧୭ ତାରିଖରେ ପ୍ରାର୍ଥପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ୧୮ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ନଭେମ୍ବର ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସମୟସୀମା ରହିଛି। ସେହିପରି ଡିସେମ୍ବର ୫ ତାରିଖରେ ମତ ସାବ୍ୟସ୍ତ କରିବେ ମତଦାତା। ଏହାପରେ ଡିସେମ୍ବର ୮ ତାରିଖରେ ଭୋଟ୍‌ ଗଣତି ହୋଇ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ।

ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। ରାଜ୍ୟର ତିତି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ଲାଗି ପଡ଼ିଲେଣି। ବିଜେଡିରୁ ପ୍ରାର୍ଥୀ ହେବା ନେଇ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ ହିଁ ସାମ୍ନାକୁ ଆସୁଛି ଦୁଇଟି ଚେହେରା। ନିକଟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ବିଜୟ ରଞ୍ଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହା। ସେ କହିଥିଲେ ଯେ, ସ୍ବାମୀଙ୍କ ସ୍ବପ୍ନକୁ ଅଧୁରା କରିବି। ଏଥିସହିତ ସେ ଟିକେଟ୍‌ ଆଶାୟୀ ଥିବା ନେଇ ଗଣମାଧ୍ୟମକୁ କହିଥିଲେ।

କିନ୍ତୁ ଏବେ ଆଉ ଏକ ଚେହେରା ଅର୍ଥାତ୍‌ ଶ୍ରୀ ବରିହାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା ପ୍ରମୁଖ ଦାବିଦାର ଥିବା ନେଇ ଚର୍ଚ୍ଚା ହେଉଛି। କାରଣ ବରିହାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା ମଧ୍ୟ ଗଣମାଧ୍ୟମ ଆଗରେ ତାଙ୍କ ପରିବାରର ଯେକୌଣସି ସଦସ୍ୟଙ୍କୁ ଟିକେଟ୍ ଦେବାକୁ ଦାବି କରିଛନ୍ତି । ଯଦି ତାଙ୍କର କାକୀ(ଦିବଂଗତ ଶ୍ରୀ ବରିହାଙ୍କ ପତ୍ନୀ ତିଳୋତ୍ତାମା)ଙ୍କୁ ଦଳ ଟିକେଟ୍ ଦିଏ, ତା’ହେଲେ ତାଙ୍କ ପରିବାର ଏକଜୁଟ ହୋଇ ଲଢ଼ିବ। ଏପରିକି ସେ ମଧ୍ୟ ବିଜେଡି ଟିକେଟ୍ ଆଶାୟୀ ଥିବା ନେଇ କହିଛନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ଟିକେଟ୍‌ ମିଳେ ତେବେ କାକାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିଛି। ଯାହାଫଳରେ ପଦ୍ମପୁର ରାଜନୀତିରେ ବରିହା ପରିବାରକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା।

ଏସବୁ ବାଦ୍‌ ଜଣେ ପ୍ରଶାସନିକ ଅଧିକାରୀ ମଧ୍ୟ ଟିକେଟ୍‌ ଦୌଡରେ ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ନୂଆପଡ଼ା ଜିଲ୍ଲାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ କରୁଥିବା ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ ମଧ୍ୟ ଟିକେଟ ରେସରେ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି। ସେ ‘କୁଲତା ସମାଜ’ର ହୋଇଥିବାରୁ ତାଙ୍କୁ ଟିକେଟ୍ ଦେଇ ‘କୁଲତା,ବିଞ୍ଝାର ଓ ଶବର’ ସମାଜକୁ ସନ୍ତୁଷ୍ଟ କରିବା ଏକପ୍ରକାର ସହଜ ହେବ ବୋଲି ବିଜେଡି ନେତୃତ୍ୱ ଭାବୁଛନ୍ତି। ଅନ୍ୟ ଏକ ବିକଳ୍ପ ଭାବେ ଟିକେଟ୍ ଦାବିଦାର ଥିବା ବିଜେଡିର ଏହି ଆଶାୟୀମାନଙ୍କୁ ବାଦ୍ ଦେଇ ଦଳ ଏବେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିବାକୁ ଜୋରଦାର ଉଦ୍ୟମ ଚଳାଇଛି।

ଅନ୍ୟପଟେ ଧାମନଗର ବିଜୟ ପରେ ବିଜେପି କ୍ୟାମ୍ପ୍‌ ପୂରା ଉତ୍ସାହିତ ରହିଛି। ଧାମନଗର ଭଳି ପଦ୍ମପୁରରେ ଉପନିର୍ବାଚନରେ ଜିତିବା ପାଇଁ ରଣନୀତି ଆପଣାଉଛି ବିଜେପି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦଳୀୟ ପ୍ରାର୍ଥୀ ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ତାଙ୍କ ସହଯୋଗୀ ରାଜୁ ଘିବେଲା ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଯାହା ବିଜେପି ପାଇଁ ଜୋରରଦାର ଝଟକା ଲାଗିଛି।

ଅନ୍ୟପଟେ କଂଗ୍ରେସ ପର୍ଯ୍ୟବେକ୍ଷକ ଟିମ୍ ୪ ଜଣଙ୍କ ନାଁ ହାଇକମାଣ୍ଡକୁ ସୁପାରିଶ କରିଛି। ସେମାନଙ୍କ ମଧ୍ୟରୁ ରେସରେ ଆଗରେ ଅଛନ୍ତି ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ।

Leave A Reply

Your email address will not be published.