Odisha Link
Bridging the Missing Links in Odisha

ଆନ୍ଧ୍ରରେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ହେବ ବିପୁଳ ପୁଞ୍ଜିନିବେଶ – ଧର୍ମେନ୍ଦ୍ର

ଆନ୍ଧ୍ରପ୍ରଦେଶ/ଭୁବନେଶ୍ୱର : ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମବାଳୟ ଆନ୍ଧ୍ରପ୍ରଦେଶରେ ଆଗାମୀ ୫ ବର୍ଷରେ ଏହି ସବୁ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି ବୋଲି ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡିଙ୍କୁ ଭେଟି ସେଠାରେ ନିଆଯାଇଥିବା ବିଭିନ୍ନ ତୈଳ,ଗ୍ୟାସ ଓ ଇସ୍ପାତ୍ ପ୍ରକଳ୍ପର ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଦ୍ୱାରା ରାଜ୍ୟର ରାଜସ୍ୱ ବୃଦ୍ଧି ହେବା ସହ ଯୁବକଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ପ୍ରଧାନ କହିଛନ୍ତି ।

ଏହି ଅବସରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହି ସବୁ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସବୁ ତୈଳ ଓ ଗ୍ୟାସ୍ ପ୍ରକଳ୍ପକୁ ନିର୍ଧାରତ ସମୟ ସୁଦ୍ଧା ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନ । ପ୍ରଧାନ ସୂଚନା ଦେଇଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ଏକ ଅଟନୋମସ୍ ପେଟ୍ରୋଲିୟମ ଇଷ୍ଟିଚ୍ୟୁସନ୍ ସ୍ଥାପନା କରାଯିବ । ଯାହା ଦେଶର ତୈଳ ଗ୍ୟାସ କ୍ଷେତ୍ରରେ କୁଶଳ କ୍ଷମତା ବିଶିଷ୍ଟ କାର୍ଯ୍ୟବଳ ତିଆରି କରିବାରେ ସହଯୋଗ କରିବ ।

ଏହି ଗସ୍ତ ଅବସରରେ ପ୍ରଧାନ ସେଠାକାର ରାଜ୍ୟପାଳ ତଥା ଓଡିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ତାଙ୍କ ବାସଭବନରେ ଭେଟିଥିଲେ । ରାଜ୍ୟପାଳଙ୍କ ସହ ଏଠାରେ ନିଆଯାଇଥିବା ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପ ଉପରେ ସୂଚିତ କରିଥିଲେ ପ୍ରଧାନ । ବିଶେଷ ଭାବରେ କ୍ରୀଡା-ଗୋଦାବରୀ ବେସିନ, ଯାହା ଭବିଷ୍ୟତରେ ଭାରତର ଗ୍ୟାସ ଚାହିଦାକୁ ପୂରଣ କରିବାର ବଡ କ୍ଷମତା ରଖିଛି ଏ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ ।

Comments are closed.