Odisha Link
Bridging the Missing Links in Odisha

ଯାଜପୁର: କ୍ୱାରେଣ୍ଟାଇନରେ ରହିଲେ ୩ ଡାକ୍ତର ଓ ୧୯ ନର୍ସ

ଯାଜପୁର: ରାଜ୍ୟରେ ୨ ଦିନରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରିମ ମଧ୍ୟରେ ଆଜି ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା ପାଞ୍ଚ ଜଣ କରୋନା ଆକ୍ରାନ୍ତ ହସ୍‌ପିଟାଲକୁ ଆସିଥିଲା ବେଳେ ସେମାନେ ସେଠାରେ କିଛି ଡାକ୍ତର ଓ ନର୍ସମାନଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ କାଳରେ ତାହା ଜଣାପଡ଼ିବା ପରେ ଗତକାଲି ରାତିରେ ତିନି ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ ଯାଜପୁରର କୋଭିଡ୍‌ କେୟାର ହସପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ହୋମ୍‌ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି।

ଅପରପକ୍ଷେ , ଯାଜପୁରରେ ଅବରୋଧ ଅଞ୍ଚଳ ପରିସୀମା ବୃଦ୍ଧି ପାଇଛି। ୩ଟି ବ୍ଲକ ୭ଟି ପଞ୍ଚାୟତର ୧୩ଟି ଗାଁକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଯାଜପୁରରେ ଜିଲ୍ଲାରେ ଗତକାଲି ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ କଟେନମେଣ୍ଟ ଜୋନର ପରିସୀମା ବଢାଇଛନ୍ତି ଜିଲ୍ଲାପାଳ। ନୂଆ ମାମଲା ସାମ୍ନାକୁ ଆସିବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲାପାଳ ରଞ୍ଜନ ଦାସ, ଆକ୍ରାନ୍ତ ବ୍ୟକ୍ତିଙ୍କ ପଞ୍ଚାୟତକୁ ଅବରୋଧ ଅଞ୍ଚଳ ଘୋଷଣା କରିଥିଲେ। ଯାଜପୁର ସଦର, ଦଶରଥପୁର ଓ କୋରେଇ ବ୍ଲକର ୪ଟି ପଞ୍ଚାୟତରେ ରୋଗୀ ଚିହ୍ନଟ ହେବା ପରେ କଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲା।

ଗତକାଲି ଯାଜପୁର ଜିଲ୍ଲାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କୋରେଇରୁ ଜଣେ, ଯାଜପୁରରୁ ୩ ଓ ଦଶରଥପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନେ ସମସ୍ତେ କୋଲକାତା ବଡ଼ବଜାର ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ସେମାନେ ଅନ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି।

Comments are closed.