Odisha Link
Bridging the Missing Links in Odisha

ସରପଞ୍ଚଙ୍କ ଅଭିଯୋଗ: କେବଳ କାଗଜପତ୍ରରେ ଜିଲ୍ଲାପାଳ କ୍ଷମତା

ଜଗତସିଂହପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ ହେଁ, ତୃଣମୂଳ ସ୍ତରରେ ଏବେ ବି ବାବୁରାଜ ଚାଲିଛି। ସରପଞ୍ଚମାନଙ୍କ ଅଜ୍ଞାତସାରରେ ପଞ୍ଚାୟତରେ କୋଭିଡ୍‌ ପରିଚାଳନା କରୁଛି ବ୍ଲକ୍‌ ପ୍ରଶାସନ। କେବଳ କାଗଜପତ୍ରରେ ସରପଞ୍ଚଙ୍କୁ କ୍ଷମତା ଦିଆଯାଇଛି। ଏପରିକି ସରପଞ୍ଚଙ୍କୁ ବିଡିଓ ଟଙ୍କା ମାଗୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଜଗତସିଂହପୁରର ସରପଞ୍ଚମାନେ।

ଗଣମାଧ୍ୟମକୁ ସୂଚନା ଦେଇ ପଦ୍ମପୁର ସରପଞ୍ଚ କେଶବ ଚନ୍ଦ୍ର ପାତ୍ର କହିଛନ୍ତି- ଆଇସୋଲେସନ୍‌ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଯାଏଁ ସରକାରଙ୍କ ଠାରୁ ୫ ଲକ୍ଷ ଟଙ୍କା ମିଳିନାହିଁ। ଏପଟେ ୨୦ଟି ଶଯ୍ୟା କିଣିବା ପାଇଁ ଏରସମା ବିଡିଓ ମୋତେ ଲକ୍ଷେ ଟଙ୍କା ମାଗିଛନ୍ତି। ଏରସମା ବ୍ଲକ୍‌ ଅଧିକାରୀମାନେ ସରପଞ୍ଚଙ୍କ ଅଜାଣତରେ ପଞ୍ଚାୟତଗୁଡ଼ିକ ପାଇଁ ଶଯ୍ୟା କିଣିଛନ୍ତି ଓ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି। ମହାବାତ୍ୟା ଫନୀକୁ ଇତି ମଧ୍ୟରେ ବର୍ଷେ ବିତିଲାଣି। ମୁଁ ସେତେବେଳେ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଦେବା ଲାଗି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲି। ଏଯାଏଁ ମାତ୍ର ୩୦ ହଜାର ଟଙ୍କା ସରକାରଙ୍କ ଠାରୁ ଫେରି ପାଇଛି।

ଜପ ପଞ୍ଚାୟତର ସରପଞ୍ଚ ତପନ ଗୋଚ୍ଛାୟତ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ସରପଞ୍ଚଙ୍କୁ ନ ଜଣାଇ ବିଡିଓ ଅନୁଗୁଳରୁ ବେଡ୍‌ କିଣିଛନ୍ତି ଓ ପଞ୍ଚାୟତ ପିଛା ୧୫ଟି ଲେଖାଏଁ ଦେଇଛନ୍ତି ବୋଲି ଏହି ବ୍ଲକ୍‌ର ଅଧିକାଂଶ ସରପଞ୍ଚ ଅଭିଯୋଗ କରିଛନ୍ତି। ଅନେକ ସରପଞ୍ଚ ସେମାନଙ୍କ ନୂଆ କ୍ଷମତା ଓ ଏ ସମ୍ବନ୍ଧୀୟ ନିୟମ ବାବଦରେ କିଛି ଜାଣି ନଥିବା କହିଛନ୍ତି।

ଏରସମା ବ୍ଲକ୍‌ ପଲ୍ଲୀକନଟ ପଞ୍ଚାୟତ ସରପଞ୍ଚ ଧ୍ବଜରାଜ ଖଣ୍ଡୁଆଳ ଅଭିଯୋଗ କରିଛନ୍ତି- ସରପଞ୍ଚଙ୍କୁ କଲେକ୍ଟର କ୍ଷମତା କେବଳ କାଗଜପତ୍ରରେ। ସବୁ ନିଷ୍ପତ୍ତି ଓ କାମ ସରକାରୀ ଅଧିକାରୀ କରୁଛନ୍ତି। ମୋତେ ଅଣଦେଖା କରି କନିଷ୍ଠ ଯନ୍ତ୍ରୀ, ଓଡ଼ିଶା ଜୀବୀକା ମିଶନ୍‌ର ପ୍ରକଳ୍ପ ପରିଚାଳକ ଓ ବ୍ଲକ୍‌ର ଅନ୍ୟ କର୍ମଚାରୀମାନଙ୍କୁ ବିଡିଓ ରନ୍ଧାଖାଦ୍ୟ ବଣ୍ଟନ, ସଚେତନତା କାର୍ଯ୍ୟକ୍ରମ ଓ ବାହାରୁ ଆସୁଥିବା ଶ୍ରମିକଙ୍କ ଚିହ୍ନଟ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଏହା ଆଗକୁ ବି ଜାରି ରହିବ।

ସରପଞ୍ଚମାନଙ୍କ ଏଭଳି ଅଭିଯୋଗର ଉତ୍ତର ରଖିଛନ୍ତି ଏରସମା ବିଡିଓ କୈଳାଶ ବେହେରା। ସେ କହିଛନ୍ତି- ଏସବୁ ଅଭିଯୋଗ ଭିତ୍ତିହୀନ। ପଞ୍ଚାୟତ ପକ୍ଷରୁ ଠିକ ସମୟରେ ଶଯ୍ୟା କିଣା ନଯିବାରୁ ବ୍ଲକ୍‌ ଅଧିକାରୀ କିଣିଲେ। ଫନୀ ବେଳେ ହୋଇଥିବା ଖର୍ଚ୍ଚର ଭାଉଚର ଏଯାଏଁ ସରପଞ୍ଚମାନେ ଦାଖଲ କରି ନଥିବାରୁ ସାମାନଙ୍କୁ ଟଙ୍କା ମିଳିନାହିଁ।

Comments are closed.