Odisha Link
Bridging the Missing Links in Odisha

ଅଖ୍ୟାତ ପଲ୍ଲୀରୁ ଆମେରିକା, ଓଡ଼ିଆ ଗାଇଲେ ରାଜ୍ୟ ସଂଗୀତ

ଭୁବନେଶ୍ବର: ପୂର୍ବ ପ୍ରସ୍ତୁତି ସରିଥିଲା। ଅପେକ୍ଷା ଥିଲା ସେଇ ମୁହୂର୍ତ୍ତକୁ। ଓଡ଼ିଶାର ଅଖ୍ୟାତ ପଲ୍ଲୀ, ସହର ଠାରୁ ଆରମ୍ଭ କରି ରାଜ୍ୟ ଓ ଦେଶ ବାହାରେ ଯେଉଁଠି ଓଡ଼ିଆମାନେ ଅଛନ୍ତି ସଭିଏଁ ପ୍ରସ୍ତୁତ ହେଉଥିଲେ। ଭାରତୀୟ ସମୟ ଠିକ ୫ଟା ୩୦ରେ କୋଟି କୋଟି କଣ୍ଠରେ ଗୁଞ୍ଜରି ଉଠିଲା ଗୋଟିଏ କାଳଜୟୀ କବିତାର ସଂଗୀତ ରୂପ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ଓଡ଼ିଶାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ବିଶ୍ବର କୋଣ ଅନୁକୋଣରେ ଓଡ଼ିଆମାନେ ଗାଇ ଉଠିଥିଲେ। ଓଡ଼ିଆ ବହୁଳ ଅଞ୍ଚଳଗୁଡ଼ିକରେ, ବିଶେଷ କରି ଓଡ଼ିଶାରେ ସଂଗୀତର ମିଶ୍ର ଝଙ୍କାରରେ ଗଗନ ପବନ କମ୍ପି ଉଠିଥିଲା। କରୋନା ମହାମାରୀ ସମୟରେ କୋଭିଡ୍‌ ଯୋଦ୍ଧାମନଙ୍କ ତ୍ୟାଗ କୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଏହି କାର୍ଯ୍ୟାକ୍ରମରେ ବିଶ୍ବସାରା ଓଡ଼ିଆମାନେ ସ୍ବର ମିଳାଇ ଏକାଠି ହୋଇଥିଲେ।

୫ଟା ୩୦ରେ ସାରା ଓଡ଼ିଶା ପ୍ରାୟ ସାଢ଼େ ୪ ମିନିଟ୍‌ ପାଇଁ ସତେ ଯେମିତି ଅଟକି ଯାଇଥିଲା। ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ଥିବା ବେଳେ ବଜାର, ଘାଟ ମଧ୍ୟ ଶୂନଶାନ୍‌ ହୋଇ ଯାଇଥିଲା। ଲୋକମାନେ ଘରେ ବା କାର୍ଯ୍ୟାଳୟରେ ଅଥବା ସାମାଜିକ ଦୂରତା ରଖି କୌଣସି ସର୍ବସାଧାରଣ ସ୍ଥାନରେ ଏକାଠି ହୋଇ ‘ବନ୍ଦେ ଉତ୍କଳ ଜନନୀ’ ବୃନ୍ଦଗାନ କରିଥିଲେ।

ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ନେତା, ପ୍ରତିଷ୍ଠିତ ବ୍ୟକ୍ତିତ୍ବ, ସରକାରୀ କର୍ମଚାରୀ, ବ୍ୟବସାୟୀ, ଶିକ୍ଷାବିତ, ବୁଦ୍ଧିଜୀବୀ, କଳାକାର, ସାହିତ୍ୟିକ, କ୍ରୀଡ଼ାବିତ ଓ ବିଭିନ୍ନ ବୃତ୍ତିର ଓଡ଼ିଆ ବ୍ୟକ୍ତିତ୍ବ ନିଜକୁ ଏହି ‘ବନ୍ଦେ ଉତ୍କଳ ଜନନୀ’ ଗାୟନରେ ସାମିଲ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବହୁ ବରିଷ୍ଠ ରାଜନେତା ଓ ପ୍ରଶାସକ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମରେ କ୍ରୀଡ଼ାବିତ ଓ ସଂଗୀତଜ୍ଞ ଏକାଠି ହୋଇ ରାଜ୍ୟ ସଂଗୀତ ଗାନ କରିଥିଲେ। କଂଗ୍ରେସ ଭବନ, ବିଜେପି ରାଜ୍ୟ କାର୍ଯ୍ୟାଳୟ ଓ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ରାଜନେତା ଓ କର୍ମୀମାନେ ଏ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଲୋକସେବା ଭବନ, ପୁଲିସ ମୁଖ୍ୟାଳୟ ଓ ବିଭିନ୍ନ ବିଭାଗ ମୁଖ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟ ଓ ପଞ୍ଚାୟତ ସ୍ତରରେ ମଧ୍ୟ ପ୍ରଶାସକ, କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ରାଜଧାନୀ ଭୁବନେଶ୍ବର ଓ ଅନ୍ୟ କେତେକ ସ୍ଥାନରେ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଘଣମାଧ୍ୟମ ସଂସ୍ଥା, ପିଏସ୍‌ୟୁ ଓ ଶିଳ୍ପ ସଂସ୍ଥାର କର୍ମଚାରୀମାନେ ମଧ୍ୟ କାର୍ଯ୍ୟାଳୟ ଭିତରେ ଏକାଠି ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାଇଥିଲେ। ରାଜ୍ୟର ବିଭିନ୍ନ ସଂଗରୋଧ କେନ୍ଦ୍ର ଓ ଡାକ୍ତରଖାନାରେ ମଧ୍ୟ ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଡାକରାରେ ଲୋକେ ଯେମିତି ସାମାଜିକ ଦୂରତା ଭୁଲି ରାସ୍ତାକୁ ଓହ୍ଲାଇ ଆସିଥିଲେ, ଆଜି ମଧ୍ୟ ଅନେକ ସ୍ଥାନରେ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା।

ତେବେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅଧିକାଂଶ ନେତା, ମନ୍ତ୍ରୀ ପ୍ରଶାସକ ନିଜେ ନ ଗାଇ ରେକର୍ଡ ବଜାଉଥିବାର ଦେଖିବାକୁ ମିଳିଥିଲା।

ସରକାରଙ୍କ ଦ୍ବାରା ପ୍ରସାରିତ ବନ୍ଦେ ଉତ୍କଳ ଜନନୀର ‘ଗୀତ’ ଓ ରେକର୍ଡ ‘ସଂଗୀତ’ରେ ସାମାନ୍ୟ ତ୍ରୁଟି ଥିଲା। ଏ ନେଇ ଆଜି ସକାଳୁ ସାମାଜିକ ଗଣମାଧ୍ୟମରେ ପ୍ରତିବାଦର ସ୍ବର ଉଠିଥିଲା। ତ୍ରୁଟି ସୁଧାରିବା ପାଇଁ ସରକାରଙ୍କୁ ଦାବି କରାଯାଇଥିଲେ ବି ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ଅନେକେ ଏହି ତ୍ରୁଟିପୂର୍ଣ୍ଣ ଗୀତ ଗାଇଥିବା ବେଳେ ବହୁ ସଚେତନ ବ୍ୟକ୍ତି ତ୍ରୁଟି ସଂଶୋଧନ କରି ଗାଉଥିବାର ଦେଖିବାକୁ ମିଳିଥିଲା।

ବନ୍ଦେ ଉତ୍କଳ ଜନନୀ ଓଡ଼ିଶାର ରାଜ୍ୟସଂଗୀତ ନୁହେଁ ବୋଲି ଦାବି କରି କେହି କେହି ଏହା ବଦଳରେ ଜାତୀୟ ସଂଗୀତ ଗାଉଥିବାର ଦେଖିବାକୁ ମିଳିଥିଲା। କିଛି ଅଞ୍ଚଳରେ ଏହି ଗୀତର ‘ଉତ୍କଳ’ ସ୍ଥାନରେ ଅନ୍ୟ ଶବ୍ଦ ଯୋଡ଼ି ଏହାକୁ କଦର୍ଥ ଭାବରେ ଗାଉଥିବା ମଧ୍ୟ ଦେଖାଯାଇଥିଲା।

Comments are closed.