ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ
ବରଗଡ: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ବ୍ଲକ ଅଧୀନ କଟାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭି.ଏସ୍ ମନୋଜ କୁମାର ସ୍ବାଇଁ। ସେ ମୃତ୍ୟୁକାଳୀନ ପ୍ରମାଣପତ୍ର (ଡେଥ୍ ସାର୍ଟିଫିକେଟ୍) ଦେବା ପାଇଁ ଜଣେ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ୬୦୦ ଟଙ୍କା ଲାଞ୍ଚ ମାଗୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଗିରଫ କିରାଣୀଙ୍କୁ ସମ୍ବଲପୁର ଭିଜିଲାନ୍ସର ସ୍ପେଶାଲ ଜଜ୍ଙ୍କ କୋର୍ଟକୁ ଚାଲାଣ କରାଯାଇଥିବା ଭିଜିଲାନ୍ସ ସୂଚନା ଦିଆଯାଇଛି। ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନ ନନ୍ଦନମାଲ ଗ୍ରାମର ସର୍ବେଶ୍ୱର ବିଶି ତାଙ୍କର ସମ୍ପର୍କୀୟ ସ୍ବର୍ଗତ ସୁକୁନୁ ଅମାତ୍ଙ୍କ ମୃତ୍ୟୁକାଳୀନ ପ୍ରମାଣପତ୍ର ପାଇଁ କଟାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବେଦନ କରିଥିଲେ।
ତେବେ ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରର କିରାଣୀ ସ୍ବାଇଁ ୬୦୦ ଟଙ୍କା ଦାବି କରିଥିଲେ ।ବୁଧବାର ସର୍ବେଶ୍ୱର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ତାପରେ କିରାଣୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା।
ମୃତକଙ୍କ ସମ୍ପର୍କୀୟ ସର୍ବେଶ୍ୱର କଟାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ କିରାଣୀ ସ୍ବାଇଁଙ୍କୁ ରାସାୟନିକ ପ୍ରଲେପଦିଆ ୬୦୦ ଟଙ୍କା ପ୍ରଦାନ କରିଥିଲେ।
ସେତିକିବେଳେ ବରଗଡ଼ ଭିଜିଲାନ୍ସ ଡିଏସ୍ପି ପରମେଶ୍ୱରଙ୍କ ନେତୃତ୍ୱରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଟଙ୍କା ଜବତ୍ କରିବା ସହିତ କିରାଣି ସ୍ବାଇଁଙ୍କୁ ଗିରଫ କରିଥିଲେ।
Comments are closed.