Odisha Link
Bridging the Missing Links in Odisha

‘ମୋଦି ସାଙ୍ଗିଆ’କୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଲଳିତ ମୋଦି

ମୁଁ ବିଚାର ବ୍ୟବସ୍ଥାର ପଳାତକ ବୋଲି ସାଧାରଣ ଜନତା ଓ ଗାନ୍ଧୀଙ୍କ ସହଯୋଗୀମାନେ ବାରମ୍ବାର କହୁଛନ୍ତି କାହିଁକି?

ଓଏଲ୍‌ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ମୋଦି ସାଙ୍ଗିଆ ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚା। ଆଇପିଏଲ ବା ଇଣ୍ଡିଆନ ପ୍ରିମିୟର ଲିଗର ପୂର୍ବତନ ମୁଖ୍ୟ ଲଳିତ ମୋଦୀ କହିଛନ୍ତି କି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ଟିପ୍ପଣୀ ବିରୋଧରେ ବ୍ରିଟେନ କୋର୍ଟରେ ମାମଲା ଦାଖଲ କରିବେ। ରାହୁଲ ଗାନ୍ଧୀ ତାଙ୍କ ଟିପ୍ପଣୀରେ ମୋଦୀ ସାଙ୍ଗିଆକୁ ନେଇ ମନୀ ଲଣ୍ଡରିଂ ଓ ଦୁର୍ନୀତି ସହ ଯୋଡିଥିଲେ।

ସେପଟେ ଆଇପିଏଲରେ ଦୁର୍ନୀତି କରିଥିବା ଅଭିଯୋଗ ହେବା ପରେ ଲଳିତ ମୋଦୀ ୨୦୧୦ ମସିହାରୁ ଭାରତ ଛାଡି ଲଣ୍ଡନରେ ରହୁଛନ୍ତି। ସେ ତାଙ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଥିଲେ, ମୁଁ ବିଚାର ବ୍ୟବସ୍ଥାର ପଳାତକ ବୋଲି ସାଧାରଣ ଜନତା ଓ ଗାନ୍ଧୀଙ୍କ ସହଯୋଗୀମାନେ ବାରମ୍ବାର କହୁଛନ୍ତି କାହିଁକି? କେଉଁ ଦୃଷ୍ଟିରୁ? ମୁଁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇନାହିଁ।

ସେ ମଧ୍ୟ ଦାବି କରିଛନ୍ତି ଯେ, ସେ ବିଶ୍ବରେ ଆୟୋଜନ କରିଥିବା ବୃହତ୍ତମ କ୍ରୀଡ଼ା କାର୍ଯ୍ୟକ୍ରମ ପ୍ରାୟ ୧୦ ବିଲିୟନ୍‌ ଡଲାର୍‌ ଆୟ କରିଛି। ଗାନ୍ଧୀ ପରିବାରଠାରୁ ତାଙ୍କ ପରିବାର ଭାରତ ପାଇଁ ବହୁତ କିଛି ଅଧିକ କରିଛି। ଅଭିଯୋଗକୁ ସତ୍ୟ ପ୍ରମାଣିତ କରିବା ଲାଗି ରାହୁଲ୍‌ଙ୍କୁ ଚାଲେଞ୍ଜ୍‌ କରି ସେ କହିଛନ୍ତି, ଅଦାଲତରେ ରାହୁଲ୍‌ଙ୍କୁ ଅପଦସ୍ଥ କରିବାକୁ ସେ ଆନନ୍ଦର ସହ ଅପେକ୍ଷା କରିଛନ୍ତି।
ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କେତେକ କଂଗ୍ରେସ ନେତାଙ୍କର ବିଦେଶରେ ସମ୍ପତ୍ତି ଅଛି। ସେ ସେସବୁର ଠିକଣା ଓ ଫଟୋ ଯୋଗାଇ ଦେଇ ପାରିବେ।

ଖବର ଅନୁସାରେ, କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ କିଛି ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହି ଟିପ୍ପଣୀ ବରୋଧରେ ଗୁଜରାଟର ଜଣେ ପୂର୍ବତନ ମନ୍ତ୍ରୀ ସୁରଟ କୋର୍ଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ଦଣ୍ଡବିଧାନ ଆଧାରରେ ଲୋକସଭା ସଚିବାଳୟ ତରଫରୁ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ଅଯୋଗ୍ୟ ଘୋଷଣା କରାଯାଇଛି।

Leave A Reply

Your email address will not be published.