Odisha Link
Bridging the Missing Links in Odisha

ନକଲ ଧରାପଡ଼ିବା ପରେ ଅକଲ ଗୁଡ଼ୁମ

ସିନେମା କାହାଣୀ ନକଲ ହେବା କିଛି ନୂଆକଥା ନୁହେଁ। ହିନ୍ଦୀ ସିନେମା ଜଗତରେ ରାଶି ରାଶି ସିନେମା ଦକ୍ଷିଣ ସିନେମାରୁ ନକଲ ହୋଇଛି। ତେବେ ଏଭଳି କ୍ଷେତ୍ରରେ ମୂଳ ସିନେମା ନିର୍ମାତାଙ୍କଠାରୁ ଆଗୁଆ ଅନୁମତି ଆଣିବାକୁ ହୋଇଥାଏ।

ଭୁବନେଶ୍ବର: ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ମୋନାଲସା’ ଆଜି ସଂଧ୍ୟା ୬ଟା ୩୦ରେ ଜି-ସାର୍ଥକ୍‌ ଟିଭିରେ ମୁକ୍ତିଲାଭ କରିବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି। ସିନେମାଟି ଆଜି ମୁକ୍ତିଲାଭ କରୁନାହିଁ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ବିନା ଅନୁମତିରେ ଜାତୀୟ ପୁରସ୍କାରପ୍ରାପ୍ତ ଏକ ମଲାୟଲମ ଚଳଚ୍ଚିତ୍ରରୁ ନକଲ କରି ଶ୍ରୀ ପତି ଏ ସିନେମା ନିର୍ମାଣ କରିଥିବାବେଳେ ଏହା ଧରାପଡ଼ିଯିବାରୁ ନିର୍ମାତାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି।

‘ମୋନାଲିସା’ର ପୋଷ୍ଟର ଡିଜାଇନ୍‌ ଓ ପ୍ରଚାର ଭିଡିଓ (ପ୍ରମୋ) ସହ ମଲାୟଲମ୍‌ ଚଳଚ୍ଚିତ୍ର ‘ହେଲେନ୍’ର ସାମଞ୍ଜସ୍ୟ ଥିବାରୁ ଏ ନେଇ ଓଡ଼ିଶା ଲିଙ୍କ୍‌ ପକ୍ଷରୁ ଖୋଳତାଡ଼ କରାଯାଇଥିଲା। ସିନେମାଟି ହେଲେନ୍‌ରୁ ନକଲ ହୋଇଛି ବୋଲି ମାନିଥିଲେ ନିର୍ଦ୍ଦେଶକ ଅଶୋକ ପତି। ତେବେ ଏଥିପାଇଁ ମୂଳ ସିନେମାଠାରୁ ଅନୁମତି ନିଆଯାଇଛି କି ନା ତାହା ସେ ଜାଣିନଥିବା କହିଥିଲେ। ଆମେ ଏ ନେଇ ନିର୍ମାତା/ପ୍ରଯୋଜକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲୁ।

କାହାଣୀ ନକଲ, ପୋଷ୍ଟର ବି ନକଲ!

ସ୍ବତ୍ବ (ରାଇଟ୍ସ) ମିଳିଛି କି ନା ଜାଣିବା ପାଇଁ ଆମେ ‘ହେଲେନ୍’ର ଯୁବ ନିର୍ଦ୍ଦେଶକ ମାଥୁକୁଟ୍ଟି ଜାଭିୟରଙ୍କୁ ଯୋଗାଯୋଗ କରିଥିଲୁ। ସିନେମାର ପୁନଃନିର୍ମାଣ (ରିମେକ୍‌) ପାଇଁ କେବଳ ତାମିଲ, ତେଲୁଗୁ ଓ କନ୍ନଡ଼ ଭାଷାର ନିର୍ମାତାଙ୍କୁ ଅନୁମତି ଦିଆଯାଇଥିବା ସେ କହିଥିଲେ। ବାକି ଭାରତୀୟ ଭାଷାରେ ସିନେମା ରାଇଟ୍ସ ପ୍ରସିଦ୍ଧ ସିନେନିର୍ମାତା ବୋନି କପୁରଙ୍କ ଅନୁଷ୍ଠାନ ବେଭିୟୁ ପ୍ରୋଜେକ୍ଟସ ଏଲ୍ଏଲ୍‌ପିକୁ ଦିଆଯାଇଥିବା ଜଣାପଡ଼ିଥିଲା।

ଆମେ ବେଭିୟୁର ନିର୍ଦ୍ଦେଶକ ବୋନି କପୁର(ଶ୍ରୀଦେବୀଙ୍କ ପତି)ଙ୍କ ସହ ଯୋଗାଯୋଗ କରିଥିଲୁ। ସିନେମାର ହିନ୍ଦୀ ରାଇଟ୍ସ ଦିଆଯାଇଛି ଓ ଅନ୍ୟ କୌଣସି ଭାଷାରେ ଏଯାଏଁ ସ୍ବତ୍ବ ବିକ୍ରି ହୋଇନଥିବା ସ୍ପଷ୍ଟ କରିଥିଲେ ବେଭିୟୁ କର୍ତୃପକ୍ଷ। ବୋନି କପୁରଙ୍କ ବେଓ୍ବେ ପ୍ରୋଜେକ୍ଟନ୍ସ ଏଲ୍‌ଏଲ୍‌ପି କମ୍ପାନୀ ଏ ନେଇ ଓଡ଼ିଆ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଥିବା ନେଇ ତାଙ୍କର ଆଇନ ପରାମର୍ଶଦାତା ପଙ୍କଜ ଖାରବଣ୍ଡା ଓଡ଼ିଶା ଲିଙ୍କକୁ ସୂଚନା ଦେଇଛନ୍ତି।

ସମ୍ଭବତଃ ଏହି କାରଣରୁ ସିନେମାଟି ଆଜି ମୁକ୍ତିଲାଭ ନ କରାିବାକୁ ନିର୍ଦ୍ଦେଶକ/ନିର୍ମାତା/ପ୍ରଯୋଜକ ନିଷ୍ପତ୍ତି ନେଇଛନ୍ତି। ଆଜି ସଂଧ୍ୟା ୬ଟା ୩୦ରେ ‘ମୋନାଲିସା’ ମୁକ୍ତିଲାଭ କରିବ ବୋଲି ଜି-ସାର୍ଥକରେ ଘନଘନ ପ୍ରମୋ ବାଜୁଥିବା ବେଳେ ଗତକାଲିଠାରୁ ତାହାକୁ ବନ୍ଦ କରାଯାଇଛି। ସାମାଜିକ ଗଣମାଧ୍ୟମରୁ ମଧ୍ୟ ଅନେକତ୍ର ଏହାର ପ୍ରମୋ ଭିଡିଓ ହଟାଇଦିଆଯାଇଥିବା ଦେଖିବାକୁ ମିଳିଛି। ସେହିପରି ଏହାର ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଜର ଫେସବୁକ୍‌ ପୃଷ୍ଠାରେ କିଛିଦିନ ଧରି ଏହାର ନିୟମିତ ପ୍ରଚାର କରୁଥିଲେ ବି ଗତକାଲିଠାରୁ ସେଥିରୁ ନିଜକୁ ବିରତ ରଖିଛନ୍ତି। ଆଜି ସଂଧ୍ୟା ୬ଟାରେ ଆଉ ଏକ ସିନେମା ପ୍ରଦର୍ଶିତ ହେବ ବୋଲି ଚ୍ୟାନେଲ କର୍ତୃପକ୍ଷ ଘୋଷଣା କରିସାରିଛନ୍ତି।

ବିନା ଅନୁମତିରେ ଓଡ଼ିଆରେ ନକଲ

ଅନ୍ୟପଟେ ବେଭିୟୁ ସହ ଓଡ଼ିଆ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କର କଥାବାର୍ତ୍ତା ଚାଲିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଏଡ଼ାଇବା ପାଇଁ ହୁଏତ ସେମାନେ ହେଲେନ୍‌ର ରିମେକ୍‌ ରାଇଟ୍ସ କିଣିପାରନ୍ତି ବୋଲି ଅନୁମାନ କରାଯାଉଛି। ସିନେମା କାହାଣୀ ନକଲ ହେବା କିଛି ନୂଆକଥା ନୁହେଁ। ହିନ୍ଦୀ ସିନେମା ଜଗତରେ ରାଶି ରାଶି ସିନେମା ଦକ୍ଷିଣ ସିନେମାରୁ ନକଲ ହୋଇଛି। ତେବେ ଏଭଳି କ୍ଷେତ୍ରରେ ମୂଳ ସିନେମା ନିର୍ମାତାଙ୍କଠାରୁ ଆଗୁଆ ଅନୁମତି ଆଣିବାକୁ ହୋଇଥାଏ।

ଏକ ସମୟରେ ମୁକ୍ତିଲାଭ କରୁଛି ୩ ଓଡ଼ିଆ ସିନେମା