Odisha Link
Bridging the Missing Links in Odisha

ସିବିଏସ୍ଇ ଢାଞ୍ଚାରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ

ଭୁବନେଶ୍ୱର: ସିବିଏସ୍ଇ ଢାଞ୍ଚାରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ। ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ। ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟରେ ବିବରଣୀ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଫର୍ମାଟରେ ସ୍କୁଲ ନାମ, ନମ୍ବର ଏବଂ ରୋଲ ନମ୍ବର ଆଦି ରହିଛି। ଏଥିପାଇଁ ଦଶମ ଶ୍ରେଣୀର ଟେଷ୍ଟ ଏବଂ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷାର ନମ୍ବର ମଧ୍ୟ ମାଗାଯାଇଛି।

ଏହି ନିଷ୍ପତ୍ତି ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀର ପରୀକ୍ଷା ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତି କରି ମୂଲ୍ୟାୟନ ହେବ। ତା’ ସହିତ ଦଶମ ଶ୍ରେଣୀର ଇଣ୍ଟରନାଲ୍ ଆସେସମେଣ୍ଟ ମାର୍କକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ। ଏଥିପାଇଁ ଏହିସବୁ ପରୀକ୍ଷାର ଟାବୁଲେସନ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ପୂରଣ କରି ଗତବର୍ଷର ମାଟ୍ରିକ ପରୀକ୍ଷା କେନ୍ଦ୍ର ବା ସହଯୋଗୀ କେନ୍ଦ୍ରରେ ଦାଖଲ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।

ସୂଚନାଯୋଗ୍ୟ, ଆଜିଠୁ ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥା’ନ୍ତା। କିନ୍ତୁ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ସରକାର ଏହାକୁ ବାତିଲ କରି ଦେଇଛନ୍ତି। ଏପରିକି ପରୀକ୍ଷା ବାତିଲ ନେଇ ରାଜଧାନୀର କିଛି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ।

Leave A Reply

Your email address will not be published.