Odisha Link
Bridging the Missing Links in Odisha

କଂଗ୍ରେସ, ବିଜେପି ଓ ବାମ ଦଳର ନିନ୍ଦା: ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମମତା

ଘଟଣାର କଡ଼ା ନିନ୍ଦା କରିବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ କିଛି ବିଜେପି ନେତା ଯୁକ୍ତି ବାଢ଼ିଛନ୍ତି। ବେଙ୍ଗଲରେ ଚାଲିଥିବା ହିଂସାକୁ ଉଭୟ ବାମଦଳ ଓ କଂଗ୍ରେସ ମଧ୍ୟ ନିନ୍ଦା କରିଛି। ସିପିଏମ୍‌ ନେତା ସୀତାରାମ ୟେଚୁରୀ ବଙ୍ଗଳାରେ ହିଂସାର ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ି ଶାସକ ଟିଏମ୍‌ସିକୁ ଏଥିଲାଗି ଦାୟୀ କରିଛନ୍ତି। କଂଗ୍ରେସ୍‌ ନେତା ଜିତିନ ପ୍ରସାଦ କହିଛନ୍ତି ଯେ ନିର୍ବାଚନରେ ବିଜୟ ପରେ ଟିଏମ୍‌ସି କର୍ମୀମାନେ କଂଗ୍ରେସ୍‌ କର୍ମୀ, ମହିଳା ଓ ଶିଶୁଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି।

ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍‌ସିର ବିପୁଳ ବିଜୟ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏପରିକି କେତେକ ଦୁର୍ବୃତ୍ତ ବିଜେପି କାର୍ଯ୍ୟାଳୟ ଭାଙ୍ଗିଦେଇଥିବା ଖବର ଆସିଛି। ମିଳିଥିବା ସୂଚନା ଅନୁସାରେ ମେ ୨ ପରଠାରୁ ଏଯାବତ୍‌ ୧୪ ଜଣ ଏହି ହିଂସାରେ ପ୍ରାଣ ହରାଇଛନ୍ତି। ବିଜେପିର ୯ ଜଣଙ୍କର ମୃତ୍ୟୁ ହୋଇଥିବା ଦଳ ଦାବି କରୁଥିବା ବେଳେ ଟିଏମ୍‌ସିର ୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଦଳ ପକ୍ଷରୁ କହାଯାଇଛି। ଇଣ୍ଡିଆନ୍‌ ସିକୁଲାର ଫ୍ରଣ୍ଟର ଜଣେ କର୍ମୀ ମଧ୍ୟ ଏହି ହିଂସାରେ ପ୍ରାଣ ହରାଇଛନ୍ତି।

ବେଙ୍ଗଲରେ ହେଉଥିବା ହିଂସା ପଛରେ ଟିଏମ୍‌ସିର ହାତ ଥିବା ଦାବି କରିଛି ବିଜେପି। ଏ ଘଟଣାର କଡ଼ା ନିନ୍ଦା କରିବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ କିଛି ବିଜେପି ନେତା ଯୁକ୍ତି ବାଢ଼ିଛନ୍ତି। ବେଙ୍ଗଲରେ ଚାଲିଥିବା ହିଂସାକୁ ଉଭୟ ବାମଦଳ ଓ କଂଗ୍ରେସ ମଧ୍ୟ ନିନ୍ଦା କରିଛି। ସିପିଏମ୍‌ ନେତା ସୀତାରାମ ୟେଚୁରୀ ବଙ୍ଗଳାରେ ହିଂସାର ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ି ଶାସକ ଟିଏମ୍‌ସିକୁ ଏଥିଲାଗି ଦାୟୀ କରିଛନ୍ତି। କଂଗ୍ରେସ୍‌ ନେତା ଜିତିନ ପ୍ରସାଦ କହିଛନ୍ତି ଯେ ନିର୍ବାଚନରେ ବିଜୟ ପରେ ଟିଏମ୍‌ସି କର୍ମୀମାନେ କଂଗ୍ରେସ୍‌ କର୍ମୀ, ମହିଳା ଓ ଶିଶୁଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି।

ତେବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭଳିକି ଭଳି ମିଛ ଭିଡିଓ ଓ ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟିଏମ୍‌ସି ସାଂସଦ ମହୁଆ ମୈତ୍ର। ଅନ୍ୟପଟେ ରାଜ୍ୟରେ ସାଂପ୍ରଦାୟିକ ହିଂସା ପାଇଁ ବିଜେପି ପ୍ରୟାସ କରୁଛି ବୋଲି ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ପାଲଟା ଅଭିଯୋଗ ଆଣିଛନ୍ତି।

ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଜାରି କରିବା ସହ ଚାଲିଥିବା ହିଂସାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଏସ୍‌ଆଇଟି ଦାବି କରି ସୁପ୍ରିମ କୋର୍ଟରେ ଜନସ୍ବାର୍ଥ ମାମଲା କରିଛି ଚେନ୍ନାଇର ଏକ ବେସରକାରୀ ସଙ୍ଗଠନ।

ଆଜି ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛନ୍ତି। ତେଣେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ବେଳେ ଏଣେ ହିଂସା ବଢ଼ିଚାଲିଛି। ଉଭୟକୁ ଦୃଷ୍ଟିରେ ରଖି ଲୋକାଲ୍‌ ଟ୍ରେନ୍‌ ଚଳାଚଳ ଆଜିଠାରୁ ବନ୍ଦ କରାଯିବା ସହ ବଜାର ବନ୍ଦ କରାଯାଇଛି। ୧୪ ଜଣଙ୍କର ମୃତ୍ୟୁ ପରେ ଆଜି ମମତା ଜରୁରୀ ବୈଠକ ଡାକି ହିଂସା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ବେଙ୍ଗଲ ହିଂସା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟପାଳ ଜଗଦୀପ ଧନଖାରଙ୍କ ସହ ଫୋନରେ ଏ ନେି କଥା ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ହିଂସା ନେଇ ରାଜ୍ୟକୁ ରିପୋର୍ଟ ତଲବ କରିଛି।

ମିଛ ଖବରକୁ ସାବଧାନ
ବେଙ୍ଗଲ ହିଂସାର ସୁଯୋଗ ନେଇ ବିଭିନ୍ନ ରାଜୈତିକ ଦଳର କର୍ମୀମାନେ ଏବେ ସାମାଜିକ ଗଣମାଧ୍ୟମରେ ମିଛ ଭିଡିଓ ଓ ଫଟୋ ଛାଡ଼ି ହିଂସାକୁ ଉସ୍‌କାଉଥିବା ଅଭିଯୋଗ ଉଠିଛି। ୨୦୧୮ ଓ ୨୦୧୯ ସମୟର କିଛି ଫଟୋ ଓ ଭିଡିଓକୁ ସଂପାଦିତ କରି ବେଙ୍ଗଲ ହିଂସା ଭାବେ ଦର୍ଶାଯାଉଛି ବୋଲି କିଛି ଫ୍ୟାକ୍ଟଚେକ୍‌ ସାଇଟ୍‌ ଦର୍ଶାଇଛନ୍ତି।

Leave A Reply

Your email address will not be published.